‘ସେଲ୍‌ଫି ବେବୋ’ ସିମରନ୍‌ଙ୍କ ସହ ହୋଇଥିଲା ଜବରଦସ୍ତ ଧୋକା !

‘କଥିତ ସ୍ବାମୀ ଦେଉଥିଲେ ନିର୍ଯାତନା, ପୋଲିସ୍‌ରେ ଅଭିଯୋଗ କରିଥିଲେ ଆଲବମ୍‌ ଅଭିନେତ୍ରୀ ସିମରନ୍‌ ।’

ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ପଛରେ ପଦାକୁ ଆସିଛି ଏକ ଲୋମହର୍ଷକ କାହାଣୀ । ସିମରନଙ୍କ ସହ ହୋଇଥିଲା ଜବରଦସ୍ତ ଧୋକା । ପ୍ରେମ ଫାଶରେ ପକାଇ ସିମରନଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ତାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ସେୟାର କରିବାକୁ ଧମକ ଦିଆଯାଇଥିଲା ।

ସିମରନଙ୍କ ପ୍ରେମିକ ତଥା ତଥାକଥିତ ସ୍ବାମୀ କୁହାଯାଉଥିବା ବଲାଙ୍ଗୀର ବେଲପଡ଼ାର ଦୁବରାଜ ସୁନା ଏ ଜଘନ୍ୟ କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଦୁବରାଜ କଳାକାର ମହଲରେ ୟୁଗ୍ ନାଁରେ ପରିଚିତ ଥିଲେ । ଦୁବରାଜଙ୍କ ସହ ମିଶି ସିମରନ ଗୋଟିଏ ଆଲବମ୍ ଓ ଏକାଧିକ ଷ୍ଟେଜ୍ ପ୍ରୋଗ୍ରାମ କରିଥିଲେ । ଦୁବରାଜଙ୍କ ଏ କାରନାମା ସଂପର୍କରେ ନିଜେ ସିମରନ ପୋଲିସ ଆଗରେ ଅଭିଯୋଗ ମଧ୍ୟ କରିଥିଲେ ।

ସିମରନ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ଗତବର୍ଷ ଏପ୍ରିଲ ୧୩ରେ ଦୁବରାଜ ସିମରନଙ୍କ ଝାରସୁଗୁଡ଼ା ବେହେରାମାଲ ଘରକୁ ଯାଇଥିଲେ । ସିମରନଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ନିଜ ଘରକୁ ନେଇ ଆସିଥିଲେ । ସେଠାରୁ ଦୁହେଁ ଭିଲାଇ ଯାଇଥିଲେ । ସିମରନ ଅଭିଯୋଗ କରିଥିଲେ ଯେ ଭିଲାଇରେ ଦୁବରାଜ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ।

ବଲାଙ୍ଗୀର ଫେରିବା ପରେ ଦୁବରାଜ ତାଙ୍କୁ ମାରପିଟ୍ କରିବାରୁ ସିମରନ ଝାରସୁଗୁଡ଼ା ପଳାଇ ଆସିଥିଲେ । ତଥାପି ଦୁବରାଜଙ୍କ ମନ ଶାନ୍ତ ହୋଇ ନଥିଲା । ସିମରନଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ସେୟାର କରିବାର ଧମକ ଦେଇ ପୁଣି ସିମରନଙ୍କୁ ପାଖକୁ ନେଇଯାଇଥିଲେ ଦୁବରାଜ ।

ବିଭିନ୍ନ ସ୍ଥାନରେ ଭଡ଼ା ଘରେ ରଖି ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ଦୁବରାଜ ତାଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଶୋଷଣ କରିଥିବା ଅଭିଯୋଗ ଆଣିଥିଲେ ସିମରନ । ଏସବୁ ଅଭିଯୋଗ ନେଇ ଦୁବରାଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts