ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ଅହେତୁକ ବିଳମ୍ବ ହୋଇଛି। ଗତକାଲିର ନୀତି ଆଜି ସମାପନ ହୋଇଛି। ଶ୍ରୀମନ୍ଦିର ପହୁଡ଼ ଆଜି ସକାଳେ ହୋଇଛି । ଅର୍ଥାତ ସ୍ୱାଭାବିକ ଦିନରେ ପହୁଡ଼ ରାତିରେ ହୋଇଥାଏ। କିନ୍ତୁ ଗତକାଲି ମହାପ୍ରଭୁଙ୍କୁ ଚାଚେରୀ ବେଶ ବିଳମ୍ବିତ ହେବା ଯୋଗୁ ଗତକାଲିର ପହୁଡ଼ ଆଜି ସକାଳ ୫ଟା ୫ ମିନିଟରେ ହୋଇଥିଲା। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ନୀତି ବି ଡେରିରେ ହୋଇଛି।
ଆଜି ସକାଳ ୭ଟା ୨୫ରେ ସିଂହଦ୍ୱାର ଖୋଲିଥିଲା। ସିଂହଦ୍ୱାର ବିଳମ୍ବରେ ଖୋଲିବା ଯୋଗୁ ବଡ଼ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସିଂହଦ୍ୱାର ଖୋଲିବା ପରେ ସକାଳ ୮ଟା ୫ରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଛି। ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ଆଜି ବି ଶ୍ରୀଜିଉଙ୍କ ନୀତି ବିଲମ୍ବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଶ୍ରୀଜିଉଙ୍କ ନୀତି ବିଳମ୍ବ ହେବା ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
