ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ଗୋଟିଏପଟେ ଏମାର୍ଜେନ୍ସୀ ଯୋଗୁ ଦେଶର ସୁରକ୍ଷା ବ୍ୟବସ୍ଥା ସେନା ହାତକୁ ଚାଲିଯାଇଥିବା ବେଳେ ସେପଟେ କ୍ଷମତାସୀନ ସରକାର ପ୍ରତି ଦେଶରେ ଅବିଶ୍ୱାସ ଗଭୀର ହେବାରେ ଲାଗିଛି। ଗଣମାଧ୍ୟମରୁ ଆସୁଥିବା ସୂଚନାରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ତାଙ୍କ ଭାଇ ତଥା ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷେଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିଦେଇଛନ୍ତି। ବେସିଲଙ୍କ ସ୍ଥାନରେ ରାଷ୍ଟ୍ରପତି ଅଲ ସାବରୀଙ୍କୁ ଦେଶର ନୂଆ ଅର୍ଥମନ୍ତ୍ରୀ ନିଯୁକ୍ତ କରିଛନ୍ତି। ଏହା ସହ ରାଜପକ୍ଷେ ସୋମବାର ମିଳିତ ସରକାରରେ ସାମିଲ ହେବାକୁ ବିରୋଧୀଦଳଙ୍କୁ ଆମନ୍ତ୍ରିତ କରିଛନ୍ତି। ସବୁ ରାଜନୈତିକ ଦଳଙ୍କୁ ଏକଜୁଟ ହୋଇ ଜାତୀୟ ସଂକଟର ସମାଧାନ ଲାଗି କାର୍ୟ୍ୟ କରିବାକୁ ରାଷ୍ଟ୍ରପତି ଅପିଲ କରିଛନ୍ତି।

ତେବେ ରାଷ୍ଟ୍ରପତିଙ୍କ ନିବେଦନକୁ ଦେଶର ଦୁଇ ପ୍ରମୁଖ ବିରୋଧୀ ଦଳ ଏସଜେବି ଓ ଜେଭିପି ଅଲପାର୍ଟି ସରକାରରେ ସାମିଲହେବେନି ବୋଲି ସଫାସଫା ଶୁଣାଇ ଦେବା ସହ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି। ଅନ୍ୟ ଏକ ସୂଚନା ଅନୁସାରେ ଶ୍ରୀଲଙ୍କା ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି। ଏଥିର ଦୟାକରି ଶ୍ରୀଲଙ୍କାକୁ ସହାୟତା ଲାଗି ଉଦ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି। ଶ୍ରୀଲଙ୍କା ଆମର ମାତୃଭୂମି ଓ ଏହାକୁ ବଞ୍ଚାଇବା ଆମର ପ୍ରଥମ ଓ ନୈତିକ କର୍ତ୍ତବ୍ୟ ବୋଲି କହିଛନ୍ତି। ଗୋଟିଏ ପଟେ ସଂକଟ ଗ୍ରସ୍ତ ଦେଶର ସମସ୍ୟା ସମାଧାନ ଲାଗି ସମସ୍ତେ ଏକଜୁଟ ହୋଇଥିବା ବେଳେ ଅନ୍ୟ ପଟେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଅଜିଥ ନିଭାର୍ଡ କାବରାଲ ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି।