ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣଥିଳକାଙ୍କୁ ସର୍ତ୍ତମୂଳକ ଜାମିନ, ଟି-୨୦ ବିଶ୍ଵକପ୍ ସମୟରେ ଅଷ୍ଟ୍ରେଲିଆରୁ ହୋଇଥିଲେ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା ଦଳର ଅନ୍ତର୍ଜାତୀୟ କ୍ରିକେଟର ଦନୁଷ୍କା ଗୁଣଥିଳକାଙ୍କୁ ଜାମିନ। ମାମଲାରେ ଅଷ୍ଟ୍ରେଲିଆ ଅଦାଲତ ଦନୁଷ୍କାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ଜାମିନ ପାଇଁ ଶ୍ରୀଲଙ୍କା ସରକାର ଏବଂ କ୍ରିକେଟ୍ ବୋର୍ଡ ପ୍ରାୟ ୧,୫୦,୦୦୦ ଅଷ୍ଟ୍ରେଲିୟ ଡଲାର ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ଏହାପରେ ତାଙ୍କୁ ସର୍ତମୂଳକ ଜାମିନ ମିଳିଛି।

ତେବେ ୧,୫୦,୦୦୦ ଡଲାରର ବ୍ୟକ୍ତିଗତ ମୁଚଲିକା, ପୋଲିସ ନିକଟରେ ପ୍ରତିଦିନ ହାଜର ହେବା, ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ନଜର ରଖାଯିବା, ଅଭିଯୋଗକାରୀଙ୍କ ସହ ଯୋଗାଯୋଗ ନକରିବା, ଟିଣ୍ଡର ଏବଂ ଡେଟିଂ ଆପ୍‌ ବ୍ୟବହାର ନକରିବା ଆଦି ସର୍ତ୍ତରେ ସିଡନୀର ଏକ କୋର୍ଟ ଗୁଣଥିଳକାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

୩୧ ବର୍ଷୀୟ ଗୁଣଥିଳକା ନଭେମ୍ବର ୬ରେ ସିଡନୀ ପୋଲିସ ଦ୍ଵାରା ଗିରଫ ହେବା ପରେ ହେପାଜତରେ ଥିଲେ। ଜଣେ ମହିଳା ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ। ଏହା ପରଠୁ ସେ ୧୧ ଦିନ ଜେଲ୍‌ରେ ରହିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ କରିଛି।

କୋର୍ଟର ଶୁଣାଣିରୁ ଜଣା ପଡିଥିଲା ଯେ, ଅକ୍ଟୋବର ୨୯ରେ ଉଭୟ ଡେଟିଂ ଆପ୍‌ରେ ପରସ୍ପରକୁ ଭେଟିଥିଲେ। ଦୁଇ ଜଣଙ୍କ ସାକ୍ଷାତ ନଭେମ୍ବର ୨ରେ ହୋଇଥିଲା। ଯୋଡି ମହିଳାଙ୍କ ଘରକୁ ଯିବା ପୂର୍ବରୁ ସିଡନୀ ସିବିଡିରେ ମଦ୍ୟପାନ କରିଥିଲେ। କୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ, ଗୁଣଥିଳକା ମହିଳାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ତେବେ ଏହି ଶ୍ରୀଲଙ୍କାୟୀ କ୍ରିକେଟରଙ୍କୁ ଟି-୨୦ ବିଶ୍ଵକପ୍ ୨୦୨୨ ଚାଲିଥିବା ସମୟରେ ଗିରଫ କରାଯାଇଥିଲା। ଏହି ସମୟରେ ସେ ଶ୍ରୀଲଙ୍କା କ୍ରିକେଟ ଦଳର ସଦସ୍ୟ ଥିଲେ।

Related Posts