ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମ ପୋଲିସ ଦ୍ୱାରା ରୁଜୁ ହୋଇଥିବା ଜାଲ୍ ଦଲିଲ ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କିତ ଏକ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ପବନ ଖେରାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଜେ.କେ. ମାହେଶ୍ୱରୀ ଏବଂ ଜଷ୍ଟିସ୍ ଅତୁଲ ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଏକ ବେଞ୍ଚ ଗୌହାଟୀ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି, ଯେଉଁଥିରେ ତାଙ୍କୁ ଜାମିନ ଦେବାକୁ ମନା କରାଯାଇଥିଲା।
ଏହି ମାମଲାଟି ରାଜନୈତିକ ଶତ୍ରୁତା ଦ୍ୱାରା ପ୍ରଭାବିତ ବୋଲି କୋର୍ଟ ନିଜ ମନ୍ତବ୍ୟରେ କହିଛନ୍ତି। ଏହି ବିବାଦ ୫ ଏପ୍ରିଲ, ୨୦୨୬ରେ ଆରମ୍ଭ ହୋଇଥିଲା, ଯେତେବେଳେ ପବନ ଖେରା ନୂଆଦିଲ୍ଲୀ ଏବଂ ଗୁଆହାଟୀରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଠାରେ ସେ କିଛି ଦଲିଲ ପ୍ରଦର୍ଶନ କରି ଅଭିଯୋଗ କରିଥିଲେ ଯେ, ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ପାଖରେ ଇଜିପ୍ଟ, ୟୁଏଇ (UAE) ଏବଂ ଆଣ୍ଟିଗୁଆ ଏବଂ ବାର୍ବୁଡାର ସକ୍ରିୟ ପାସପୋର୍ଟ ରହିଛି। ସେ ଆହୁରି ମଧ୍ୟ ଦାବି କରିଥିଲେ ଯେ, ଆମେରିକାର ୱାୟୋମିଙ୍ଗ୍ରେ ପଞ୍ଜୀକୃତ ଏକ କମ୍ପାନୀରେ ତାଙ୍କର ୫୦,୦୦୦ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ରହିଛି, ଯାହାକି ତାଙ୍କ ସ୍ୱାମୀଙ୍କ ନିର୍ବାଚନ ସତ୍ୟପାଠରେ ଦର୍ଶାଯାଇ ନାହିଁ।
ଏହି ସାମ୍ବାଦିକ ସମ୍ମିଳନୀ ପରେ, ଗୁଆହାଟୀ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜାଲିଆତି ଏବଂ ସାର୍ବଜନୀନ ବିଭ୍ରାଟ ସୃଷ୍ଟି ଭଳି ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଧାରାରେ ଏକ FIR ରୁଜୁ କରାଯାଇଥିଲା। ଅଭିଯୋଗକାରୀ ଦାବି କରିଥିଲେ ଯେ, ସେହି ଦଲିଲଗୁଡ଼ିକ “ଜାଲ୍ ସିଲ୍ ଏବଂ କ୍ୟୁଆର୍ (QR) କୋଡ୍ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି”। ଶୁଣାଣି ସମୟରେ ଖେରାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଭିଷେକ ମନୁ ସିଂଘଭି ଯୁକ୍ତି ବାଢ଼ିଥିଲେ ଯେ, ଏହି ଅପରାଧଗୁଡ଼ିକ ମୁଖ୍ୟତଃ ଜାମିନଯୋଗ୍ୟ ଏବଂ ତାଙ୍କ ମହକିଲ ରାଜନୈତିକ ପ୍ରତିହିଂସାର ଶିକାର ହୋଇଛନ୍ତି।
ଅନ୍ୟପଟେ, ଆସାମ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜାମିନକୁ ଦୃଢ଼ ବିରୋଧ କରି କହିଥିଲେ ଯେ, ଏହି ଜାଲ୍ ପାସପୋର୍ଟର ଉତ୍ସ ଖୋଜିବା ପାଇଁ ହେପାଜତରେ ନେଇ ପଚରାଉଚରା କରିବା ଜରୁରୀ। ସର୍ବୋଚ୍ଚ ଅଦାଲତ ଅଭିଯୋଗକାରୀଙ୍କ ସ୍ୱାମୀଙ୍କ ଦ୍ୱାରା ଖେରାଙ୍କ ବିରୋଧରେ ଦିଆଯାଇଥିବା କିଛି “ଅସଂସଦୀୟ ମନ୍ତବ୍ୟ” ଏବଂ “ନିର୍ବାଚନୀ ବାକ୍ୟବାଣ” କୁ ଦୃଷ୍ଟିରେ ରଖିଛନ୍ତି, ଯେଉଁଥିରେ ଖେରା “ନର୍କରେ” ଲୁଚିଥିଲେ ମଧ୍ୟ ତାଙ୍କୁ “ଘୋଷାଡି ଆଣିବା” ଭଳି ଧମକ ଦିଆଯାଇଥିଲା। ବେଞ୍ଚ କହିଛନ୍ତି, “ଏହି ମାମଲାରେ ଯେଉଁଭଳି ଭାବେ ଅଭିଯୋଗ ଏବଂ ପାଲଟା ଅଭିଯୋଗ ହୋଇଛି, ତାହା ପ୍ରାଥମିକ ଦୃଷ୍ଟିରୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପ୍ରତିଦ୍ୱନ୍ଦ୍ୱିତା ଦ୍ୱାରା ପ୍ରଭାବିତ ବୋଲି ମନେହେଉଛି। ଏଠାରେ ହେପାଜତରେ ନେଇ ପଚରାଉଚରା କରିବା ଭଳି ପରିସ୍ଥିତି ଦେଖାଯାଉ ନାହିଁ।”
➡️ଜାମିନ ପାଇଁ ସର୍ତ୍ତାବଳୀ
ଗିରଫ ହେବା ସ୍ଥଳେ ଖେରାଙ୍କୁ ନିମ୍ନଲିଖିତ ସର୍ତ୍ତରେ ଅଗ୍ରୀମ ଜାମିନରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି:
• ଆବେଦନକାରୀ ତଦନ୍ତରେ ସହଯୋଗ କରିବେ ଏବଂ ଆବଶ୍ୟକ ପଡ଼ିଲେ ପୋଲିସ ଷ୍ଟେସନରେ ହାଜର ହେବେ।
• ମାମଲା ଚାଲୁଥିବା ସମୟରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ କିମ୍ବା କୌଣସି ପ୍ରମାଣ ସହିତ ଛେଡ଼ଛାଡ଼ କରିବେ ନାହିଁ।
• ସକ୍ଷମ କୋର୍ଟଙ୍କ ପୂର୍ବ ଅନୁମତି ବିନା ସେ ଭାରତ ଛାଡି ବାହାରକୁ ଯାଇପାରିବେ ନାହିଁ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମନ୍ତବ୍ୟ କେବଳ ଅଗ୍ରୀମ ଜାମିନ ବିଚାର ପାଇଁ ସୀମିତ ଏବଂ ଏହାର ପ୍ରଭାବ ଅପରାଧିକ ମାମଲାର ଗୁଣବତ୍ତା (merits) ଉପରେ ପଡ଼ିବ ନାହିଁ।
