ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନେପାଳରେ ପୁଣି ରାଜନୈତିକ ଅସ୍ଥିରତା । ଇସ୍ତଫା ଦେଲେ ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗ । ତେବେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆରଏସପି) ନେତୃତ୍ୱାଧୀନ ସରକାର ଗଠନ ହେବାର ମାତ୍ର କିଛି ସପ୍ତାହ ମଧ୍ୟରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଏଭଳି ବିବାଦରେ ଛନ୍ଦି ହୋଇ ଇସ୍ତଫା ଦେବା ଘଟଣା ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଶ୍ରୀ ଗୁରୁଙ୍ଗ ସୋସିଆଲ ମିଡିଆ ଜରିଆରେ ନିଜର ନିଷ୍ପତ୍ତି ସମ୍ପର୍କରେ ଜଣାଇ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଏକ ନିରପେକ୍ଷ ତଦନ୍ତ ପାଇଁ ସେ ପଦ ତ୍ୟାଗ କରିଛନ୍ତି, ଯାହାଫଳରେ ତଦନ୍ତ ପ୍ରକ୍ରିୟାରେ କୌଣସି ପାତରଅନ୍ତର ହେବ ନାହିଁ ବୋଲି କହିଛନ୍ତି । ସେପଟେ ଗୁରୁଙ୍ଗ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପଦବୀ ଅପେକ୍ଷା ମୋ ପାଇଁ ନୈତିକତା ବଡ଼ ଏବଂ ଜନସାଧାରଣଙ୍କ ବିଶ୍ୱାସଠାରୁ କୌଣସି ଶକ୍ତି ବଡ଼ ନୁହେଁ। ସୁଶାସନ ଓ ସ୍ୱଚ୍ଛତା ପାଇଁ ଯୁବପିଢ଼ିଙ୍କ ଦାବିକୁ ସମ୍ମାନ ଜଣାଇ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ଇସ୍ତଫା ଦେବା ପୂର୍ବରୁ ସେ ଏହି ଅଭିଯୋଗକୁ ଏକ “ମିଡିଆ ଟ୍ରାୟଲ” ବୋଲି କହିବା ସହ ସେ କୌଣସି ସୂଚନା ଲୁଚାଇବାକୁ ଚେଷ୍ଟା କରିନାହାନ୍ତି ଏବଂ ଯେଉଁ ବ୍ୟକ୍ତି ଖୋଲାଖୋଲି ଭାବରେ ୨ କୋଟିରୁ ଅଧିକ ଟଙ୍କାର ନିବେଶ ଘୋଷଣା କରିସାରିଛନ୍ତି, ସେ କାହିଁକି ସାମାନ୍ୟ କିଛି ଶେୟାର ବିଷୟରେ ମିଛ କହିବେ ବୋଲି ପ୍ରଶ୍ନ କରିଛନ୍ତି। ତାଙ୍କ ମତରେ, ଏହା କେବଳ ଏକ “ବର୍ଗୀକରଣ ତ୍ରୁଟି” ହୋଇପାରେ ଏବଂ ତାଙ୍କର ସମସ୍ତ ନିବେଶ ସ୍ୱଚ୍ଛ ରହିଛି। ଦେଶର ରାଜକୋଷ ଉପରେ ନଜର ରଖିଥିବା ଲୋକମାନେ ଭୟଭୀତ ହୋଇ ଏଭଳି ଅପପ୍ରଚାର କରୁଛନ୍ତି ବୋଲି ସେ ପାଲଟା ଆକ୍ରମଣ କରିଛନ୍ତି।
