ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣ ବିଲକୁ ନେଇ ରାଜନୀତି ଥମିବାରେ ନାମ ନେଉଁନି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ବିରୋଧ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତ କରିଛନ୍ତି। ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ବିରୋଧୀ ହତ୍ୟା କରିଛନ୍ତି। ଏହା କେବଳ ଏକ ବିଲ୍‌ର ପରାଜୟ ନୁହେଁ, ବରଂ ମା’ମାନଙ୍କ ସ୍ୱପ୍ନର ଭ୍ରୂଣ ହତ୍ୟା। ବିରୋଧୀଙ୍କ ୯୯ଟି ପାପ ପୂର୍ଣ୍ଣ ହୋଇସାରିଛି, ୧୦୦ଟି ଗାଳି ପରେ ଶିଶୁପାଳର ଯାହା ଅବସ୍ଥା ହୋଇଥିଲା କଂଗ୍ରେସ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ଯାଉଛି। ଆଜିର ଏହି ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ। ଏହି ଜନ ଆକ୍ରୋଶରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ। ମହିଳାମାନେ ଚୁପ୍ ନରହି ନିଜ ଅଧିକାର ପାଇଁ ସ୍ୱର ଉଠାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ ଦେଇଛନ୍ତି। ତେବେ ଆଜି ବିଜେପି ପକ୍ଷରୁ ଲୋୟର ପିଏମ୍‌ଜିରେ ଆୟୋଜିତ ଜନ ଆକ୍ରୋଶ ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ କଂଗ୍ରେସ ଏବଂ ଅନ୍ୟ ବିରୋଧୀଦଳଗୁଡ଼ିକ କେବଳ ମହିଳାଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଥିବାବେଳେ, ମୋଦୀ ସରକାର ସେମାନଙ୍କୁ ପ୍ରକୃତ ସଶକ୍ତୀକରଣ ପ୍ରଦାନ କରିବାକୁ ସଂକଳ୍ପବଦ୍ଧ। ଏହି ଅବସରରେ ସେ ‘ଅପରେସନ୍ ସିନ୍ଦୂର’ କଥା ମନେପକାଇ କହିଥିଲେ, ଭାରତୀୟ ନାରୀର ସମ୍ମାନ ଉପରେ ଅଙ୍ଗୁଳି ଉଠାଉଥିବା ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିନ୍ତ ଦଣ୍ଡ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।