ଆୱାର୍ଡକୁ ନେଇ ଜୋର ଧରିଲା ରାଜନୀତି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ପୁରସ୍କାର ଘୋଷଣା କଲେ ମହାରାଷ୍ଟ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରର ନାମକରଣ ପରିବର୍ତ୍ତନକୁ ନେଇ କେଉଁଠି ସମର୍ଥନ କରାଯାଉଛି ତ କେଉଁଠି ବିରୋଧ ମଧ୍ୟ ହେଉଛି। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ମହାରାଷ୍ଟ୍ରରେ କ୍ଷମତାସୀନ ସରକାର ଶିବସେନା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ଖୁବ୍ ସମାଲୋଚନା କରିଛି। କିଛି ଦିନ ତଳେ ଶିବସେନା ‘ସାମ୍ନା’ର ସମ୍ପାଦକୀୟରେ ଲେଖିଥିଲା ଯେ ରାଜୀବ ଗାନ୍ଧିଙ୍କ ଯୋଗଦାନର ଅପମାନ ନକରିବି ବି ମେଜର ଧ୍ୟାନଚାନ୍ଦଙ୍କୁ ସମ୍ମାନିତ କରାଯାଇପାରିଥାନ୍ତା।

ଏହି ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ପୁରସ୍କାର ଘୋଷଣା କରିଛନ୍ତି। ଆଇଟି କ୍ଷେତ୍ରରେ ଭଲ କାମ କରୁଥିବା ସଂସ୍ଥାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।  ମହାରାଷ୍ଟ୍ରର ଆଇଟି ମନ୍ତ୍ରୀ ସତେଜ ପାଟିଲ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

  ସତେଜ ପାଟିଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଆଇଟି କ୍ଷେତ୍ରରେ ଉଲ୍ଲେଖନୀୟ ସଂଗଠନକୁ ଉତ୍ସାହିତ କରିବା ପାଇଁ ମହାରାଷ୍ଟ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ପୁରସ୍କାର ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ପୁରସ୍କାର ପ୍ରତିବର୍ଷ ଅଗଷ୍ଟ ୨୦ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ପ୍ରଦାନ କରାଯିବ।  ଏ ବାବଦରେ ମଙ୍ଗଳବାର ଦିନ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।

 ରିପୋର୍ଟ ଅନୁଯାୟୀ, ଆଇଟି ବିଭାଗ ମନ୍ତ୍ରୀ ସତେଜ ପାଟିଲଙ୍କ ଅଧ୍ୟକ୍ଷତାରେ ୭ ଜୁଲାଇ ୨୦୨୧ ରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି। ଶିବସେନା ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ନେଇ ଗତ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଶିବସେନା ‘ସାମ୍ନା’ରେ ଲେଖିଥିଲା ଯେ ‘ଧ୍ୟାନଚାନ୍ଦଙ୍କ ନାଁରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଛି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଯୋଗଦାନ ବହୁତ ବଡ଼ ରହିଛି। ଏଥିପାଇଁ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ରାଜୀବ ଗାନ୍ଧିଙ୍କ ନାଁକୁ ହଟାଇ ସେଠାରେ ମେଜର୍ ଧ୍ୟାନଚାନ୍ଦଙ୍କ ନାଁ ଲଗାଇବା ନିଶ୍ଚିତ ଭାବେ ଧ୍ୟାନଚାନ୍ଦଙ୍କ ବଡ଼ ଗୌରବର କଥା, ତାହା କୁହାଯାଇପାରିବ ନାହିଁ। 

ରାଜୀବ ଗାନ୍ଧିଙ୍କ ନାଁ ଦରକାର ନାହିଁ, ଏଥିପାଇଁ ଧ୍ୟାନଚାନ୍ଦଙ୍କ ନାଁ ରଖିବା, ଏହା ଏକ ବଡ଼ ରାଜନୀତି। ଶିବସେନା କହିଛି ଯେ , ଧ୍ୟାନଚାନ୍ଦଙ୍କ ନାଁରେ ଏକ ବଡ଼ ପୁରସ୍କାର ଘୋଷଣା କରାଯାଇପାରିଥାନ୍ତା। ଯଦି ଏଭଳି ହୋଇଥାନ୍ତା, ତାହେଲେ ମୋଦି ସରକାରଙ୍କୁ ଆହୁରି ବାହବା ମିଳିଥାନ୍ତା। ଏବେ ବିଜେପିର ରାଜନୀତିକ ଖେଳାଳି କହୁଛନ୍ତି ଯେ ‘ରାଜୀବ ଗାନ୍ଧି କେବେ ହାତରେ ହକିର ଷ୍ଟିକ୍ ଧରିଥିଲେ କି? କିନ୍ତୁ ଅହମ୍ମଦାବାଦରେ ସର୍ଦ୍ଦାର ପଟେଲ୍ ଷ୍ଟାଡିୟମର ନାଁ ପରିବର୍ତ୍ତନ କରି ନରେନ୍ଦ୍ର ମୋଦିଙ୍କ ନାଁରେ କରାଗଲା, ତାହେଲେ ମୋଦି କ୍ରିକେଟରେ ଏଭଳି କ’ଣ ରେକର୍ଡ କରିଥିଲେ ? 

Related Posts