ନୂଆଦିଲ୍ଲୀ: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ସିତ୍ରାଂ’ ଙ୍କୁ ନେଇ ଚିତ୍ର ଏବେ ବି ଅସ୍ପଷ୍ଟ ଥିବା ବେଳେ ପ୍ରବାହଜନିତ ଧନଜୀବନ ନଷ୍ଟ ଏଡ଼ାଇବା ନିମନ୍ତେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କେତେକ ଜିଲ୍ଲାର ଖାଲୁଆ ଅଞ୍ଚଳରୁ ଜନସ୍ଥାନାନ୍ତରଣ ଆରମ୍ଭ କରିଛନ୍ତି।

ବାତ୍ୟା ମୁକାବିଲାର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜରୁରୀ ବୈଠକ ମଧ୍ୟ ଡକାଇଛନ୍ତି।

ଭାରତୀୟ ପାଣିପାଗ ଜାରି କରିଥିବା ସଦ୍ୟତମ ବିବୃତି ଅନୁସାରେ, ଉତ୍ତର ଆଣ୍ଡାମାନ୍‌ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଗତକାଲିର ଲଘୁଚାପ କ୍ଷେତ୍ର ଆଜି ସକାଳ ପର୍ଯ୍ୟନ୍ତ ସ୍ଥିର ରହିଥିଲା। ଅକ୍ଟୋବର ୨୪ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ତୀବ୍ରତର ହୋଇ ପଶ୍ଚିମକେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ଏହାପରେ, ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳ ପାଖ ଦେଇ ଅକ୍ଟୋବର ୨୫ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ନିକଟରେ ପହଞ୍ଚିବ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପ୍ରସ୍ତୁତି ଭାବେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଜରୁରୀକାଳୀନ ବିଭାଗର କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ବୋଲି ପଶ୍ଚିମବଙ୍ଗ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଥାଇଲାଣ୍ଡ୍‌ର ପ୍ରସ୍ତାବ ଅନୁଯାୟୀ ଉକ୍ତ ବାତ୍ୟାର ନାମ ‘ସିତ୍ରାଂ’ ରଖାଯିବ ବୋଲି ଆଶା କରାଯାଉଛି।

ଏହି ସାମୁଦ୍ରିକ ବାତ୍ୟା ପ୍ରଭାବରେ ଆଗାମୀ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ, ‘ଓଡିଆର୍‌ଏଏଫ୍‌’ ଏବଂ ‘ଏନ୍‌ଡିଆର୍‌ଏଫ୍‌’କୁ ଜରୁରୀକାଳନୀ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ କରି ରଖାଯାଇଛି।