ଆଜିଠାରୁ କମିବ ଶୀତ, ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ କମିବ ଶୀତ । ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ପ୍ରଭାବରେ ସମୁଦ୍ରରୁ ସ୍ଥଳଭାଗକୁ ଜଳୀୟବାଷ୍ପ ଆସିବ । ଏହା ରାତି ତାପମାତ୍ରା ବଢ଼ାଇବ । ଶୀତ କମିଯିବ । ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ବି ହାଲୁକା ପ୍ରଭାବ ରହିବ । ଦକ୍ଷିଣ ଓଡ଼ିିଶାର ଜିଲ୍ଲା ସମେତ ଆଉ କିଛି ଜିଲ୍ଲାରେ ବର୍ଷା ହେବ । ପାଣିପାଗ ବିଶେଷଜ୍ଞମାନେ ଏହି ପୂର୍ବାନୁମାନ ଦେଇଛନ୍ତି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ବଙ୍ଗୋପସାଗର ଉପକୂଳରେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୯ ଓ ୧୦ ତାରିଖ ପାଗ କୋହଲା ରହିବ । ୯ରେ ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିଯିବ । ଦିନରେ ପାଗ କୋହଲା ରହିବ । ପରବର୍ତ୍ତୀ ୫ଦିନ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ।

୯ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିବ । ୧୦ରେ ରାତି ସମୟର ତାପମାତ୍ରା ପ୍ରାୟ ୫ ଡିଗ୍ରୀ ବଢ଼ିବ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୯ ତାରିଖରେ ରାତି ତାପମାତ୍ରା ପ୍ରାୟ ୬ ଡିଗ୍ରୀ ବଢ଼ିଯିବ । ୧୦ରେ ଏଠାରେ ୨-୩ ଡିଗ୍ରୀ ତାପମାତ୍ରା କମିବ । ସକାଳ ସମୟରେ କୁହୁଡ଼ି ଅନୁଭୂତ ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ବୁଧବାର ସନ୍ଧ୍ୟାରେ ବାତ୍ୟା ରୂପ ନେବ । ଗୁରୁବାର ସକାଳ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ପଣ୍ଡିଚେରୀ ଏବଂ ଏହାର ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବନି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ୧୦ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୧୧ରେ ମାଲକାନଗିରି, କୋରାପୁଟ, ରାୟଗଡା ଓ ନବରଙ୍ଗପୁରରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ ଅନୁସାରେ, ବାତ୍ୟା ପ୍ରଭାବରେ ସ୍ଥଳଭାଗକୁ ଜଳୀୟବାଷ୍ପ ଆସିବ । ଏହା ଶୀତ କମାଇବ । ଗୁରୁବାର ରାତିରୁ ଶୀତ କମିବ । ୧୬ ଯାଏ ଶୀତ କମ୍‌ ରହିବ । ୯ରେ ପୁରୀ, ଖୋର୍ଦ୍ଧା ସମେତ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।

Related Posts