
ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଫଳରେ ଫୁଟିଛି ଗୁଳି । ଉଭୟ ପକ୍ଷରୁ ୬ ଜଣ ଗୁରୁତର ଆହତ ହେଇଥିବା ବେଳେ ସମସ୍ତ ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଫଳାଫଳ ପ୍ରକାଶ ପାଇବା ପରେ ଏପରି ଘଟଣା ଘଟିଛି।
ମନମୁଣ୍ଡା – ବୌଦ୍ଧ ରାସ୍ତାର ଦହ୍ୟା ଛକରେ ଘଟିଛି ଏହି ଗୁଳିକାଣ୍ଡ। ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତର ଉଭୟ ବିଜେତା ଓ ପରାଜିତ ସରପଞ୍ଚଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଫୁଟିଥିଲା ଗୁଳି। ଗଣ୍ଡଗୋଳରେ ଉଭୟ ପକ୍ଷର ୩ ଜଣ ଲେଖାଏଁ ଆହତ ହୋଇଛନ୍ତି। ବିଜୟୀ ସରପଞ୍ଚ ବିଭୁତି ଭୂଷଣ ଡାଙ୍ଗଙ୍କ ସମର୍ଥକ ଗୁଳିମାଡ଼ରେ ପରାଜିତ ପ୍ରାର୍ଥୀ ରଂଜନ ଜଗଦଲାଙ୍କ ୩ ସମର୍ଥକ ଆହତ ହୋଇଛନ୍ତି। ଆହତ କପାସିରା ଗାଁର ରାଜେନ୍ଦ୍ର ଜଗଦଲା ଓ ଚନ୍ଦନ ମଲ୍ଲିକଙ୍କ ଦେହରେ ଗୁଳି ବାଜିଥିବା ବେଳେ ଗୋପାଳ ମଲ୍ଲିକଙ୍କ ହାତ ଭାଂଗିଛି। ସମସ୍ତ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିଭଳି ପରାଜିତ ପ୍ରାର୍ଥୀ ରଂଜନ ଜଗଦଲାଙ୍କ ସମର୍ଥକଙ୍କ ଢେଲା ମାଡରେ ବିଜୟୀ ପ୍ରାର୍ଥୀ ବିଭୁତି ଭୂଷଣ ଡାଙ୍ଗଙ୍କ ୩ ସମର୍ଥକ ଆହତ ହୋଇ ବାଉଁଶୁଣି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। କେବଳ ସେତିକି ନୁହେଁ, ପରାଜିତ ପ୍ରାର୍ଥୀଙ୍କ ସମର୍ଥକ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦହ୍ୟା ଛକରେ ଥିବା କିଛି ଘରକୁ ଭଙ୍ଗାରୁଜା ମଧ୍ୟ କରିଥିବା ଅଭିଯୋଗ ହୋଇଛି।
ଖବର ପାଇ ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଓ ମନମୁଣ୍ଡା ପୁଲିସ ଦହ୍ୟା ଛକରେ ପହଂଚି ପରିସ୍ଥିତିକୁ ନୟନ୍ତ୍ରଣକୁ ନେଇଛନ୍ତି।