ଋଷକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ ସେନା: ଗଲାଣି ୪୫୦୦ ରୁଷ୍ ସେନାଙ୍କ ଜୀବନ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ଋଷ ଆଗରେ ମୁଣ୍ଡ ନୁହାଇବାକୁ ନାରାଜ ଥିବା ୟୁକ୍ରେନ ଯୁଦ୍ଧ ରେ ଋଷ କୁ କଡ଼ା ଜବାବ ଦେବାରେ ଲାଗିଛି। ୟୁକ୍ରେନର ପ୍ରତିଆକ୍ରମଣରେ ରୁଷର ୪୫୦୦ ସୈନିକଙ୍କୁ ମାରିଥିବା ଦାବି କରିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଏହି ଦାବି କରିଛନ୍ତି। ଏହାବ୍ୟତୀତ ରୁଷର ୧୫୦ ଟ୍ୟାଙ୍କ, ୨୭ ଏୟାରକ୍ରାଫ୍ଟ, ୨୬ ହେଲିକପ୍ଟର ଏବଂ ବିପୁଳ ପରିମାଣର ବନ୍ଧୁକକୁ ନଷ୍ଟ କରିଦିଆଯାଇଥିବା ୟୁକ୍ରେନ୍‌ର ରାଷ୍ଟ୍ରପତି କହିଛନ୍ତି।

ଅନ୍ୟପଟେ ରୁଷର ରାଜଧାନୀ ମସ୍କୋ କୌଣସି କ୍ଷତି ହୋଇନଥିବା କହିଛି। ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ୟୁକ୍ରେନର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ୧୧୧୫ ୟୁକ୍ରେନ୍ ନାଗରିକ ରୁଷ୍ ଆକ୍ରମଣରେ ଆଘାତପ୍ରାପ୍ତ ହୋଇଛନ୍ତି। ଏଥିରେ ୩୩ ଜଣ ଶିଶୁ ମଧ୍ୟ ସାମିଲ୍ ଅଛନ୍ତି। ୟୁକ୍ରେନ୍ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ରୁଷ୍ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ କରିଛି ଏବଂ ମହିଳା ତଥା ପିଲାମାନଙ୍କୁ ଯୁଦ୍ଧରେ ବ୍ୟବହାର କରିଛି।

ସୂଚନାଯୋଗ୍ୟ, ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷର ସେନା ବେଲାରୁଷର ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା। ଏହାବ୍ୟତୀତ ରୁଷ୍ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଆଧିପତ୍ୟ ଥିବା ଅଞ୍ଚଳ ଓ କ୍ରିମିଆ ଦେଇ ମଧ୍ୟ ରୁଷୀୟ ସୈନ୍ୟମାନେ ୟୁକ୍ରେନରେ ପ୍ରବେଶ କରିଥିଲେ। ଏପରିକି ରୁଷୀୟ ସେନା ମଧ୍ୟ ଛଦ୍ମବେଶରେ ଲୁଚି ଆକ୍ରମଣ କରିଥିବା ୟୁକ୍ରେନ ସେନା ତା’ର ଅଫିସିଆଲ ଫେସବୁକ ପେଜରେ କହିଛି।

Related Posts