ଦେଶରେ ଦାରିଦ୍ର୍ୟ ଓ ବେରୋଜଗାରୀ ଦାନବ ଭଳି ଉଭା ହୋଇଛନ୍ତି: ଆରଏଏସ ସାଧାରଣ ସମ୍ପାଦକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯେଉଁ ପ୍ରସଙ୍ଗ ଉଠାଇ ବିରୋଧୀ ମାନେ କ୍ରମାଗତ ଭାବେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ସେହି ସମାନ ପ୍ରସଙ୍ଗ ଉଠାଇଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆରଏସଏସ)। ବିଜେପିର ଆଦର୍ଶଗତ ସହଯୋଗୀ ଭାବେ ଜଣାଥିବା ଆରଏସଏସ ଦେଶରେ ଆର୍ଥିକ ପରିସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛି। ମୁଖ୍ୟତଃ ଦେଶରେ ଦାରିଦ୍ର୍ୟ, ବେକାରୀ ଓ ଅର୍ଥନୈତିକ ସଙ୍କଟକୁ ନେଇ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ଏ ସମ୍ପର୍କରେ ସଂଘ ପକ୍ଷରୁ ପ୍ରକାଶ ପାଇ ଥିବା ବାର୍ଷିକ ରିପୋର୍ଟ କାର୍ଡ଼ରେ ଏହା ଉଲ୍ଲେଖ ରହିଛି। ଆରଏଏସର ସାଧାରଣ ସମ୍ପାଦକ ଦ୍ରତାତେୟ ହୋସାବାଲେ ଏନେଇ କହିଛନ୍ତି ଯେ, ଦେଶରେ ୨୦ କୋଟି ଲୋକଙ୍କର ଆର୍ଥିକ ସ୍ଥତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଥିପାଇଁ ଦେଶରେ ଗତ କିଛି ଦଶନ୍ଧି ଧରି ତିଆର ହେଉଥିବା ଦୁର୍ବଳ ଅର୍ଥନୈତିକ ରୂପରେଖକୁ ସେ ଦାୟୀ କରିଛନ୍ତି । ଗତ କିଛି ବର୍ଷ ହେବ ଦେଶରେ ପ୍ରସ୍ତୁତି ହୋଇ ଆସୁଥିବା ଅର୍ଥନୈତିକ ପଲିସିକୁ ସେ ସମାଲୋଚନା କରିଛନ୍ତି।

ଆରଏସଏସର ଏକ ଅନ୍ୟତମ ଶାଖା ସ୍ୱଦେଶୀ ଜାଗରଣ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦ୍ରତାତେୟ କହିଛନ୍ତି ଯେ, ଆମେ ବହୁ ଆଗକୁ ଯିବା ସତ୍ତ୍ୱେ ଦେଶର ଏମିତି କିଛି ଜାଗା ଅଛି ଯେଉଁଠି ଲୋକମାନେ ଅନେକ ସମସ୍ୟାକୁ ଚ୍ୟାଲେଞ୍ଜ କରୁଛନ୍ତି। ସେ ଆହୁରି କହିଛନ୍ତି ଯେ, ଦେଶରେ ଦାରିଦ୍ର୍ୟ ଓ ବେରୋଜଗାରୀ ଦାନବ ଭଳି ଉଭା ହୋଇଛନ୍ତି। ଏବେ ମଧ୍ୟ ଦେଶରେ ୨୦ କୋଟିରୁ ଊର୍ଦ୍ଧ୍ୱ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ବାଷ କରୁଛନ୍ତି। ଯାହା ଅତ୍ୟନ୍ତ କଷ୍ଟଦାୟକ ବୋଲି ସେ କହିଛନ୍ତି।

ସେହିପରି ଦେଶରେ ୨୩ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କର ଦୈନିକ ଆୟ ୨୭୫ ଟଙ୍କାରୁ କମ୍ ରହିଛି। ଦେଶରେ ଏବେ ପାଖାପାଖି ୪ କୋଟି ବେକାରୀ ରହିଛନ୍ତି। ଯାହା ଜନସଂଖ୍ୟାର ୭.୬ ପ୍ରତିଶତ ହେବ ବୋଲି ସେ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ ଦ୍ରତାତେୟ ଚାକିରି , ଶିକ୍ଷା, ଅପପୁଷ୍ଟି, ପାନୀୟ ଜଳ ଏବଂ ପରିବେଶ ପ୍ରଦୂଷଣ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ।

Related Posts