ଆଜି ଟିଏମସିରେ ସାମିଲ ହୋଇପାରନ୍ତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ପୁଣିଥରେ ଶାସନ କ୍ଷମତାକୁ ଆସିବା ପରେ ଅନ୍ୟ ରାଜନୈତିକ ଦଳର ନେତା ଟିଏମସିରେ ଯୋଗ ଦେଉଛନ୍ତି। ନିକଟରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ମଧ୍ୟ ଦଳକୁ ଫେରିଥିଲେ। ସୂଚନା ମୁତାବକ ଆଜି ବର୍ତ୍ତମାନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ମଧ୍ୟ ଟିଏମସିରେ ଯୋଗ ଦେଇପାରନ୍ତି । ସେ ଆଜି ଅପରାହ୍ନ ୪ ଟାରେ ବରିଷ୍ଠ ଟିଏମସି ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହେବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ମୁତାବକ ଅଭିଜିତ୍ ଅତୀତରେ ଟିଏମସିର ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ। ଆଗାମୀ ଉପ ନିର୍ବାଚନରେ ଟିଏମସି ଅଭିଜିତ ମୁଖାର୍ଜୀଙ୍କୁ ଜାଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ ଯେ ନିକଟରେ ଅଭିଜିତ ବାନାର୍ଜୀ ନକଲି ଟିକା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ। ସେ ଟ୍ୱିଟ କରି ଲେଖିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଭୁଲ କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିବା ଠିକ୍ ନୁହେଁ। ଯଦି ଏଭଳି ଅଭିଯୋଗ ହେଉଛି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ମେହୁଲ ଚୋକସି, ନୀରବ ମୋଦୀ ଏବଂ ବିଜୟ ମାଲ୍ୟାଙ୍କ ସହ ଜଡିତ ମାମଲା ପାଇଁ ଦାୟୀ କରାଯାଇପାରିବ ।

Related Posts