ତୈଳଦର ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ୭ ରୁ ୧୭ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ସେଞ୍ଚୁରୀ ପାର କଲାଣି ତୈଳ ଦର। ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡୁଛି। ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସହିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଏ ନେଇ ଆଜି ପ୍ରେସମିଟ କରି କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ” କେତେ ଶୋଷିଲେ ବିଜେପି ସରକାରର ମନ ସନ୍ତୁଷ୍ଟ ହେବ । ଦର ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ମଧ୍ୟ ଦୟା ନାହିଁ । ଏହି ଦରଦାମ୍ ବୃଦ୍ଧି ପ୍ରତିବାଦରେ ଜୁଲାଇ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଜୁଲାଇ ୭ ରେ ପ୍ରତ୍ୟେକ ବ୍ଲକ ଆଗରେ ଏବଂ ୯ ରେ ଜିଲ୍ଲାସ୍ତରରେ ଏବଂ ୧୪ ରେ ରାଜଧାନୀ ଭୁବନେଶ୍ୱରରେ ଦର ବୃଦ୍ଧି ନେଇ ପ୍ରତିବାଦ ହେବ । ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏବଂ ୧୭ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରାଯିବ । ଅନ୍ୟପକ୍ଷରେ କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁ ତଥ୍ୟ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଏହାସହ ଏଆଇସିସିର ନିର୍ଦ୍ଦେଶକ୍ରମେ ଦଳୀୟ ନେତା ଓ କର୍ମୀମାନେ ଗାଁ ଗାଁ ବୁଲି କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁର ତଥ୍ୟ ସଂଗ୍ରହ ସଂଗ୍ରହ କରିବେ। ମାସେ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ତା’ପରେ ସଂଗୃହୀତ ରିପୋର୍ଟକୁ ନୂଆଦିଲ୍ଲୀ ପଠାଯିବ।

Related Posts