ଜେଲରେ ଅସୁସ୍ଥ ହେଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଖୋର୍ଦ୍ଧା: ଜେଲରେ ଅସୁସ୍ଥ ହୋଇପଡିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡ଼ିବା ନେଇ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ପ୍ରଶାନ୍ତ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥତା ଅନୁଭବ କରିଥିଲେ । ଅସୁସ୍ଥତା ପରେ ବାଣପୁର ମେଡିକାଲ ଅଫିସର ସବଜେଲ ଯାଇ ତାଙ୍କ ଚିକିତ୍ସା କରିଥିଲେ । ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଥିବା ବେଳେ ସେଠାରେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ । ଭିଡ଼ ଭିତରେ ସେ ଗାଡି ନେବା ସମୟରେ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଭିଡ଼ ଉପରେ ଗାଡ଼ି ଚଢାଇଦେବା ପରେ ଘଟଣାସ୍ଥଳରେ 10 ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ସାଧାରଣ ଲୋକ ଆହତ ହୋଇଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଥିଲେ ।ଏହି ଘଟଣା ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଘଟଣାର ପୁନରାବୃତ୍ତି ବୋଲି କୁହାଯାଇଥିଲା । ଘଟଣାକୁ ଅନେକ ରାଜନେତାଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ନିନ୍ଦା କରିଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ । ସେପଟେ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ପାଇଁ NSA (National Security Act) ଲାଗୁ କରାଯାଉ ବୋଲି କଂଗ୍ରେସ ଦାବି କରିଥିଲା । ଏହି ଘଟଣା ଓଡ଼ିଶା ରାଜନୈତିକ ଇତିହାସରେ କଳଙ୍କିତ ଦିନ ଥିଲା ବୋଲି କହିଥିଲା କଂଗ୍ରେସ ଦଳ । ଏପଟେ ପ୍ରେସମିଟ୍ କରି ବିଜେଡି କହିଥିଲା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Related Posts