ଗୋଟିଏ କିମ୍ବା ଦୁଇଟି ରାଜ୍ୟରେ ନିର୍ବାଚନ ଜିତିବା ଗୋଟିଏ କଥା ହେଲେ ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ଆପକୁ ଅତିକମରେ ୧୫ରୁ ୨୦ ବର୍ଷ ସମୟ ଲାଗିବ: ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁର୍ନୀତି ବିରୋଧରେ ଦେଶବ୍ୟାପୀ ଆନ୍ନା ଆନ୍ଦୋଳନରୁ ବାହାରିଥିବା ଆମ୍ ଆଦମୀ ପାର୍ଟି ନଭେମ୍ବର ୨୦୨୨ ମସିହାରେ ୧୦ ବର୍ଷ ପୂରଣ କରିବ। ୨୦୨୨ମସିହାରେ ପଞ୍ଜାବ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବର୍ତ୍ତମାନ ଆପ ରାଷ୍ଟ୍ରୀୟ ଦଳ ହେବାକୁ ପ୍ରୟାସ ଚଳାଇଛି । ସେପଟେ ଦଳ ଗଠନ ପରେ ମଧ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସେ ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟରେ ସମାନ ସଫଳତା ପାଇ ନଥିଲେ। ବର୍ତ୍ତମାନ ଦିଲ୍ଲୀ ଏବଂ ପଞ୍ଜାବରେ ଆପ କ୍ଷମତାରେ ଅଛି ଏବଂ ଦଳ ଗୁଜୁରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ, ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ବିସ୍ତାର ଉପରେ ଧ୍ୟାନ ଦେଉଛି। ପଞ୍ଜାବର ବିଜୟକୁ ନେଇ ଦଳର ନେତାମାନେ ଉତ୍ସାହିତ ଅଛନ୍ତି ଏବଂ ସେମାନଙ୍କର ବିବୃତ୍ତି ଦର୍ଶାଉଛି ଯେ ଆପ ବର୍ତ୍ତମାନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ଏହା ନିଶ୍ଚିତ ଯେ ଖୁବଶୀଘ୍ର ଆପ ଜାତୀୟ ଦଳ ହେବାକୁ ଯାଉଛି । କିନ୍ତୁ ଏହା ଏତେ ସହଜ ନୁହଁ । ଏନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ଆପକୁ ଅତି କମରେ ୧୫ ରୁ ୨୦ ବର୍ଷ ସମୟ ଲାଗିବ। ବିଜେପିର ନିଜର ଗାଣିତିକତା ଅଛି ।

୨୦୧୯ ସାଧାରଣ ନିର୍ବାଚନରେ, ଆପ ୨୭ ଲକ୍ଷ ଭୋଟ୍ ପାଇଥିବାବେଳେ କୌଣସି ଦଳ କେନ୍ଦ୍ରରେ କ୍ଷମତା ଦଖଲ କରିବାକୁ ୨୦ କୋଟି କିମ୍ବା ଅଧିକ ଭୋଟ୍ ଆବଶ୍ୟକ କରନ୍ତି । ଏହା କିଛି ବର୍ଷ ମଧ୍ୟରେ ହାସଲ କରାଯାଇ ପାରିବ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଗୋଟିଏ କିମ୍ବା ଦୁଇଟି ରାଜ୍ୟରେ ନିର୍ବାଚନ ଜିତି ଏକ ଶକ୍ତି ଭାବରେ ଉଭା ହେବା ଗୋଟିଏ କଥା, କିନ୍ତୁ ଲୋକସଭା ନିର୍ବାଚନରେ ଜିତିବା ଅନ୍ୟ କଥା। ଦେଶର ରାଜନୈତିକ ଇତିହାସରେ କଂଗ୍ରେସ ଏବଂ ବିଜେପି କେବଳ ଦୁଇଟି ଦଳ ଯାହାକି ଜାତୀୟ ହୋଇପାରିଛି। ବର୍ତ୍ତମାନ ଏହାର ଅର୍ଥ ନୁହେଁ ଯେ ଅନ୍ୟ କୌଣସି ଦଳ ଏହା କରିପାରିବେ ନାହିଁ । କିନ୍ତୁ ଏହା କରିବାକୁ ୧୫-୨୦ ବର୍ଷ ନିରନ୍ତର ପ୍ରୟାସ କରିବାକୁ ପଡିବ । ଏଥିପାଇଁ ବିଜେପିକୁ ୫୦ ବର୍ଷ ଲାଗିଥିଲା। ୧୯୭୮ ରୁ ବିଜେପି ଏହି ଯାତ୍ରା ଆରମ୍ଭ କରିଛି, ଏହା ପରେ ଆଜି ଏଠାରେ ପହଞ୍ଚିଛି ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts