ବିଜେପି ପାଇଁ କାମ କରୁଛନ୍ତି ପ୍ରଶାନ୍ତ କିଶୋର: ଜେ ଡି (ୟୁ)

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ଜନତା ଦଳ ୟୁନାଇଟେଡ ବା ଜେଡି (ୟୁ) ଅଭିଯୋଗ କରିଛି ଯେ ପ୍ରଶାନ୍ତ କିଶୋର ବିଜେପି ପାଇଁ କାର୍ଯ୍ୟ କରୁଛନ୍ତି। ଏହା ସହିତ ଦଳ ପକ୍ଷରୁ ପ୍ରଶାନ୍ତଙ୍କର ବହୁଚର୍ଚ୍ଚିତ ‘ଜନ ସୁରାଜ ପଦଯାତ୍ରା’ ପାଇଁ ଆସୁଥିବା ଅର୍ଥର ଉତ୍ସକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।

ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱରେ ବିହାରର ନୀତିଶ ସରକାରଙ୍କ ବିରୋଧରେ କରାଯାଉଥିବା ‘ଜନ ସୁରାଜ ପଦଯାତ୍ରା’କୁ ନେଇ ଜେଡି (ୟୁ) ସଭାପତି ଲାଲାନ ସିଂ ତାଙ୍କୁ ଟାର୍ଗେଟ କରିଛନ୍ତି । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “ବିହାରର ଲୋକମାନେ ଜାଣନ୍ତି ଯେ ନୀତୀଶ କୁମାରଙ୍କ ଶାସନରେ ରାଜ୍ୟ କେତେ ଅଗ୍ରଗତି କରିଛି। ଆମକୁ ପ୍ରଶାନ୍ତ କିଶୋରଙ୍କ ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ଯଦିଓ ଅନ୍ୟ ନାଗରିକଙ୍କ ପରି ସେ ଏକ ପଦଯାତ୍ରା କିମ୍ବା ପ୍ରଦର୍ଶନ କରିବାକୁ ମୁକ୍ତ ଅଟନ୍ତି।”

ସେ ଆହୁରି କହିଛନ୍ତି ଯେ, ପ୍ରଶାନ୍ତ କିଶୋର ନିଜ ଅଭିଯାନରେ ଯାହା ଚାହିଁବେ ତାହା କରିପାରିବେ କିନ୍ତୁ ତାଙ୍କ ଅଭିଯାନକୁ ଦେଖିଲେ ଜଣାପଡୁଛି ଯେ ସେ ବିଜେପି ତରଫରୁ କାର୍ଯ୍ୟ କରୁଛନ୍ତି। ସେ ଯେଉଁ ପ୍ରକାର ପ୍ରଚାର କରୁଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଲାଲାନ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଦେଶର ସୁ-ପ୍ରତିଷ୍ଠିତ ରାଜନୈତିକ ଦଳଗୁଡିକ ଖବର କାଗଜରେ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ଦେଉଥିବାର ଆମେ କେତେଥର ଦେଖିଛୁ ? ହେଲେ ପ୍ରଶାନ୍ତ ନିଜ ପଦଯାତ୍ରା ପାଇଁ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ଦେଇଥିଲେ। ଏହି ପଦଯାତ୍ରା ପାଇଁ ଆସୁଥିବା ଅର୍ଥର ଉତ୍ସ ଉପରେ ସେ ପ୍ରଶ୍ନ ଉଠାଇବା ସହିତ ଆୟକର ବିଭାଗ, ସିବିଆଇ କିମ୍ବା ଇଡି କାହିଁକି ଏହା ଉପରେ ଧ୍ୟାନ ଦେଉନାହାଁନ୍ତି ? ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଜେଡି (ୟୁ)ର ଉପସଭାପତି ଥିଲେ। ହେଲେ ଦଳର ମୁଖ୍ୟ ନୀତିଶ କୁମାରଙ୍କ ବିରୋଧରେ ମନ୍ତବ୍ୟ ଦେବା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ଜେଡି (ୟୁ)ରୁ ବହିଷ୍କୃତ ହୋଇଛନ୍ତି । ଏହାପରେ ଏବେ ବିହାର ରାଜନୀତିରେ ଅଧିକ ସକ୍ରିୟ ହୋଇଛନ୍ତି। ସେ ବିହାର ସରକାରଙ୍କ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବାକୁ ‘ଜନ ସୁରାଜ’ ନାମରେ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ପଦଯାତ୍ରା ଦ୍ଵାରା ସେ ବିହାରର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବ୍ଲକରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଉପରେ ଏବେ ଶାସକ ଜେଡି (ୟୁ) ପକ୍ଷରୁ ପ୍ରଶ୍ନ ଉଠାଯାଇଛି।

Related Posts