ଯଦି ବିଜେପି ସହ ସମ୍ପର୍କ ନାହିଁ, ତେବେ ହରିବଂଶଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଛାଡ଼ିବାକୁ କୁହ: ନୀତିଶଙ୍କୁ ପକେଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ଭିତରେ ଆଜି ପ୍ରଶାନ୍ତ ଖୋଲାଖୋଲି ଭାବେ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଯଦି ବିଜେପି ସହ ନୀତିଶଙ୍କର କୌଣସି ସମ୍ପର୍କ ନାହିଁ, ତା’ହେଲେ ସେ ନିଜ ଦଳର ସାଂସଦ ହରିବଂଶ ନାରାୟଣଙ୍କ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଛାଡ଼ିବାକୁ କହିକି ଦେଖାନ୍ତୁ ବୋଲି ପ୍ରଶାନ୍ତ କିଶୋର ଖୋଲା ଆହ୍ୱାନ ଦେଇଛନ୍ତି।

ତେବେ ଏହାପୂର୍ବରୁ ପ୍ରଶାନ୍ତ ବିଜେପି ସହ ନୀତୀଶ କୁମାର ଏବେବି ସମ୍ପର୍କରେ ଅଛନ୍ତି ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏହି ସମ୍ପର୍କର ଯୋଗସୂତ୍ର ସାଜିଛନ୍ତି ବୋଲି ଦାବି କରିଥିଲେ। ଏହାକୁ ଜେଡିୟୁ ଖଣ୍ଡନ କରିବା ସହ ନୀତୀଶ କୁମାର ମଧ୍ୟ ପରୋକ୍ଷରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ ଉଭୟ ନେତାଙ୍କ ମଧ୍ୟରେ ବୟାନବାଜି ଲାଗି ରହିଥିବା ବେଳେ ଆଜି ପ୍ରଶାନ୍ତ ଏକ ଟ୍ୱିଟ କରିଛନ୍ତି।ଏଥିରେ ସେ ଲେଖିଛନ୍ତି ଯେ, “ଯଦି ଆପଣ(ନୀତୀଶ କୁମା)ଙ୍କ ସମ୍ପର୍କ ବିଜେପି/ଏନଡିଏ ସହ ନାହିଁ, ତା’ହେଲେ ଆପଣ ନିଜ ଦଳର ସାଂସଦଙ୍କୁ ରାଜ୍ୟଦସଭାର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କୁହନ୍ତୁ। ଆପଣ ସବୁବେଳେ ଉଭୟ ପକ୍ଷରେ ରହିପାରିବେ ନାହିଁ।”

ତେବେ ପିକେ ପୂର୍ବରୁ ଦାବି କରିଥିଲେ ଯେ, ଦୀର୍ଘ ୧୭ ବର୍ଷ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନୀତୀଶ କୁମାର ଏହା ମଧ୍ୟରୁ ୧୪ ବର୍ଷ ବିଜେପି ସମର୍ଥନରେ ଗାଦିରେ ବସିଛନ୍ତି। ପିକେ କହିଥିଲେ ଯେ, “ମୁଁ ଯାହା ଜାଣିଛି ନୀତୀଶ କୁମାର ନିଶ୍ଚିତ ଭାବେ ମହାଗଠନ୍ଧନରେ ଅଛନ୍ତି। କିନ୍ତୁ ସେ ବିଜେପି ସହ ସମ୍ପର୍କ ରଖିବା ବନ୍ଦ କରିନାହାନ୍ତି। ଏହାର ସବୁଠାରୁ ବଡ଼ ପ୍ରମାଣ ହେଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ। ସେ ଜେଡିୟୁର ସାଂସଦ। ତାଙ୍କୁ ଏଯାଏ ପଦରୁ ଇସ୍ତଫା ଦେବାକୁ କୁହାଯାଇ ନାହିଁ। ସେ ମଧ୍ୟ ଇସ୍ତଫା ଦେଇନାହାନ୍ତି। ତାଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଯଦି ନୀତୀଶ କୁମାର ଏନଡିଏରୁ ବାହାରି ଯାଇଛନ୍ତି, ତା’ହେଲେ ତାଙ୍କ ଦଳର ସାଂସଦ କେମିତି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି? ଏକଥା ବୁଝବା ଭାରି କଷ୍ଟ। ତେଣୁ ନୀତୀଶ କୁମାର ବିଜେପି ସହ ଗୁପ୍ତ ଭାବେ ଯୋଗାଯୋଗରେ ରହିଛନ୍ତି। ପରିସ୍ଥିତି ଆସିଲେ, ସେପୁଣି ବିଜେପିରେ ସାମିଲ ହୋଇଯିବେ।”

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅଗଷ୍ଟ ମାସରେ ନୀତୀଶ କୁମାର ବିଜେପିର ହାତ ଛାଡ଼ିଥିଲେ। ଏହାପରେ ସେ ଆରଜେଡି ଓ କଂଗ୍ରେସ ସହ ମିଶି ବିହାରରେ ସରକାର ଗଠନ କରିଛନ୍ତି।

Related Posts