ଅନ୍ଧାରୀବିଜେରେ ବାହାରିଥିଲେ ସୁନ୍ଦରଗଡ ସଦର ବ୍ଲକ ‘କ’ ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ କୁମାର ନାଏକ: ପୁଳା ପୁଳା ଟଙ୍କା ସହ ଅଟକ ରଖିଲେ ବିଜେଡି କର୍ମୀ

ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ | ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଆସୁଥିବା ୯୭୫ ପଂଚାୟତରେ ଆଜି ମତଦାନ ସାବ୍ୟସ୍ତ କରିବେ ମତଦାତା | ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲାର ସଦର ବ୍ଲକ, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ମଧ୍ୟ ଆଜି ପଞ୍ଚମ ବା ଅନ୍ତିମ ପର୍ଯ୍ୟାୟ ଭୋଟ ପଡୁଛି | ତେବେ ମତଦାନ ପୂର୍ବରୁ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ପ୍ରାର୍ଥୀ ।

ନିର୍ବାଚନ କମିଶନଙ୍କ ପକ୍ଷରୁ ମତଦାନ ର ଗୋଟିଏ ଦିନ ପୂର୍ବରୁ ପ୍ରଚାର ଉପରେ ରୋକ ଲଗାଇଥିଲେ | କିନ୍ତୁ ମତଦାନର ପୂର୍ବ ରାତି ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ରାତି ଥିବା ବେଳେ, ଅନ୍ଧାରୀବିଜେ କରିଥାନ୍ତି ଅନେକ ପ୍ରାର୍ଥୀ | ଟଙ୍କା ବାଣ୍ଟି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରିଥାନ୍ତି | ସୁନ୍ଦରଗଡ ସଦର ବ୍ଲକ ‘କ’ ଜୋନରୁ ଆସିଛି ସେମିତି କିଛି ଅଭିଯୋଗ | ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ କୁମାର ନାଏକ ପୁଳା ପୁଳା ଟଙ୍କା ବାଣ୍ଟୁଥିବା ବେଳେ ଧରାପଡିଛନ୍ତି । ଟଙ୍କା ବଣ୍ଟନ ସମୟରେ ତାଙ୍କୁ ଅଟକ ରଖିଛନ୍ତି ବିଜେଡି କର୍ମୀ |

ଅଭିଯୋଗ ଅନୁଯାୟୀ, ପ୍ରବୀଣ କୁମାର ରାତି ଅଧରେ କେତେ ଜଣ ସମର୍ଥକଙ୍କୁ ନେଇ ଟଙ୍କା ବାଣ୍ଟୁଥିଲେ । ଦୁଇ ହାତରେ ପୁଳା ପୁଳା ଟଙ୍କା ଧରିଥିବାବେଳେ କିଞ୍ଜିର୍ମାରେ ସେ ଧରା ପଡିଛନ୍ତି । ବିଜେଡି କର୍ମୀମାନେ ତାଙ୍କୁ ଅଟକ ରଖିବା ସହ ଘଟଣା ସଂପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକ, ଜିଲ୍ଲାପାଳ, ଏସପିଙ୍କୁ ଅବଗତ କରିଛନ୍ତି । ଏପରିକି ଏହି ଘଟଣା ସମୟର ଦୃଶ୍ୟକୁ ଲାଇଭ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

ସେପଟେ ବିଜେପି ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନର ଘଟଣା ଜଣାପଡିବା ପରେ ସଦର ଏସଡିପିଓ ସଂପୃକ୍ତ ପ୍ରାର୍ଥୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି । ପ୍ରାର୍ଥୀ ଜଣଙ୍କ ତାଙ୍କର କେତେଜଣ ସମର୍ଥକଙ୍କୁ ନେଇ ଏହି କାଣ୍ଡ କରିଥିବା କୁହାଯାଉଛି । ଘଟଣା ସ୍ଥଳରେ ପ୍ରାର୍ଥୀଙ୍କ କାରକୁ ମଧ୍ୟ ପୋଲିସ ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି ।

Related Posts