ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି: ସମ୍ବଲପୁର, ଭୁବନେଶ୍ଵର ଓ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ଓଟିଡିସିର ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍‌

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡଙ୍କୁ ଭକ୍ତଙ୍କ ଗହଳି ମଧ୍ୟରେ ଓହ୍ଲାହିବେ ମହାପ୍ରଭୁ । ତେବେ ଏନେଇ ଚଳଚଞ୍ଚଳ ହୋଇଉଠିଲାଣି ଶ୍ରୀକ୍ଷେତ୍ର । ସମ୍ବଲପୁର, ଭୁବନେଶ୍ଵର ଓ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ (ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ) ଓଟିଡିସି ତରଫରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଇଛି ।

ଶ୍ରଦ୍ଧାଳୁମାନେ କିଭଳି ଐତିହାସିକ ଘୋଷଯାତ୍ରାକୁ ସୁରୁଖୁରୁରେ ଦେଖି ପାରିବେ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏହି ପ୍ୟାକେଜ୍ ଅତ୍ୟନ୍ତ ଲାଭଦାୟକ ହେବ । ଗତ ଦୁଇ ବର୍ଷ ହେବ ବିନା ଭକ୍ତରେ ବଡ଼ଠାକୁରଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିଲା । ଏଥର କିନ୍ତୁ କୋଭିଡ଼ର କଟକଣା ନାହିଁ। ଭକ୍ତଙ୍କୁ ଭଗବାନଙ୍କ ପାଖକୁ ଯିବାରେ କୌଣସି ପ୍ରତିବନ୍ଧକ ବି ନାହିଁ । ତେଣୁ ଏବର୍ଷ ଘୋଷଯାତ୍ରାରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି ।

ତେବେ ଏହାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ରଥଯାତ୍ରା ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଇଛି । ସମ୍ବଲପୁରରୁ ପୁରୀ, ଭୁବନେଶ୍ଵରରୁ ପୁରୀ ଓ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି, ଯେଉଁମାନେ ସମ୍ବଲପୁରରୁ ଆସି ପୁରୀରେ ରଥଯାତ୍ରା ଦେଖିବାକୁ ଚାହୁଁଛନ୍ତି, ସେମାନେ ଜୁନ୍ ୩୦ ତାରିଖ ରାତି ୯ ଟାରେ ସମ୍ବଲପୁର ପାନ୍ଥନିବାସରୁ ସ୍ଵତନ୍ତ୍ର ଗାଡ଼ିରେ ଆସି ଭୁବନେଶ୍ବର ପାନ୍ଥନିବାସରେ ସକାଳ ଜଳଖିଆ ଖାଇ ଅନ୍ୟଏକ ସ୍ଵତନ୍ତ୍ର ଭଲବୋ ବସ୍ ଯୋଗେ ପୁରୀ ଆସିବେ। ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବେ । ସେହିଦିନ ପୁରୀରୁ ପୁଣିଥରେ ଭୁବନେଶ୍ଵର ପାନ୍ଥନିବାସ ଆସି ସେଠାରୁ ରାତି ୧୦ ଟାରେ ସମ୍ବଲପୁର ଆଭିମୁଖେ ଯାତ୍ରା ଆରମ୍ଭ କରିବେ ।

ସେହିପରି ଭୁବନେଶ୍ବର ଓ ପୁରୀ ପାନ୍ଥନିବାସରୁ ମଧ୍ୟ ପୁରୀରେ ରଥଯାତ୍ରା ଦେଖିବା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ୟାକେଜ୍ ରେ ଚା’ ଜଳଖିଆ, ମଧ୍ୟାହ୍ନଭୋଜନର ସୁବ୍ୟବସ୍ଥା ମଧ୍ୟ ରହିଛି । ପ୍ୟାକେଜ୍‌ର ମୂଲ୍ୟ ମଧ୍ୟ ଆକର୍ଷଣୀୟ ରହିଛି । ସମ୍ବଲପୁର, ଭୁବନେଶ୍ଵର ଓ ପୁରୀ ପାନ୍ଥନିବାସରୁ ପ୍ୟାକେଜ୍ ଦର ଯଥାକ୍ରମେ ୮୩୦୦/-, ୫୮୦୦/- ଓ ୫୦୦୦/- ରହିଛି। ଏହି ରଥଯାତ୍ରା ଟୁର୍ ପ୍ୟାକେଜ୍ ବିଷୟରେ ଅଧିକ ବିବରଣୀ ପାଇଁ ତଥା ବୁକିଂ ୱେବସାଇଟ୍ www.panthanivas.com ଜରିଆରେ କରିପାରିବେ ।

Related Posts