ରାଷ୍ଟ୍ରପତି ନିର୍ବାଚନ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ବିଚାରର ନିର୍ବାଚନ: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିବା ପରଠାରୁ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ଏହି ନିର୍ବାଚନ ଦୁଇଜଣଙ୍କ ପ୍ରତିଦ୍ୱନ୍ଦ୍ୱୀତା ନୁହେଁ ଦୁଇ ବିଚାରର ବୋଲି କଂଗ୍ରେସ କହିଛି। ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଦରକାର ବୋଲି କହିବା ପରେ କଂଗ୍ରେସ ମୁଖପାତ୍ର ଗୌରବ ଗୋଗଇ ପ୍ରତିକ୍ରିୟାରେ ଏହା କହିଛନ୍ତି।

ଗଣମାଧ୍ୟମ ସହ ଆଲୋଚନା କାଳରେ ଗୋଗଇ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ପଦ ସବୁ ଜାତି ଓ ସବୁ ବର୍ଗଙ୍କ ଆଶା ଓ ଆକାଙକ୍ଷାର ପ୍ରତିନିଧିତ୍ୱ କରିଥାଏ। ଏଥିରେ ଯଦି ବିଜେପି ଏହି ପଦକୁ କେବଳ ଗୋଟିଏ ବର୍ଗସହ ସଂଯୁକ୍ତ କରିବାକୁ ଚାହେଁ ତେବେ ଏହି ପଦର ଗାରିମା ବିଷୟରେ ଆଉ ଥରେ ଚିନ୍ତା କରିବାକୁ ପଡିବ ବୋଲି ଗୋଗଇ କହିଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚନକୁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ବିଚାରର ନିର୍ବାଚନ ଓ ଏହା ବର୍ତ୍ତମାନ ପରିସ୍ଥିତିକୁ ନେଇ ମଧ୍ୟ ନିର୍ବାଚନ ବୋଲି ଦୃଢତାର ସହ କହିଛନ୍ତି। ସେ ବିଜେପିର ବିଚାର ଦେଶକୁ ପଛକୁ ନେଇ ଯିବାର ବିଚାର ବୋଲି କହିଛନ୍ତି।

Related Posts