ରାଷ୍ଟ୍ରପତି ରାଜପକ୍ଷେଙ୍କ ଘରେ ପଶି ସୁଇମିଂ ପୁଲରେ ଗାଧୋଇଲେ ବିକ୍ଷୋଭକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ରାଜପକ୍ଷେଙ୍କ ଘରେ ପଶି ସୁଇମିଂ ପୁଲରେ ଗାଧୋଇଲେ ବିକ୍ଷୋଭକାରୀ । ତେବେ ରାଜଧାନୀ କଲମ୍ବୋରେ ଶନିବାର ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ଧସେଇ ପଶିଛନ୍ତି। ବିକ୍ଷୋଭକାରୀମାନେ ‘ଗୋଟାବାୟା ଗୋ-ହୋମ୍’ ସ୍ଲୋଗାନ ଦେଇଥିଲେ। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ରାଜପକ୍ଷେ ଏକ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି। ତେବେ ସେ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ। କଲମ୍ବୋରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି | ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ସେନା ମୁତୟନ କରାଯାଇଛି। ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ରନିଲ ୱିକ୍ରେମେସିଂଘେ ଦଳୀୟ ନେତାଙ୍କ ଜରୁରୀ ବୈଠକ ଡାକିଛନ୍ତି।

ସେପଟେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାମ୍ନାକୁ ଆସିଥିବା କିଛି ଭିଡିଓ ଫୁଟେଜରେ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ଚେୟାରରେ ବସିଥିବା ଏବଂ ସୁଇମିଂ ପୁଲରେ ଗାଧୋଉଥିବା ଦେଖିବାକୁ ମିଳୁଛି । ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ରାଜପକ୍ଷେଙ୍କ ଇସ୍ତଫା ଦାବି କରୁଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଶ୍ରୀଲଙ୍କା ସବୁଠୁ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ପେଟ୍ରୋଲ, ଖାଦ୍ୟ ସାମଗ୍ରୀ ଏବଂ ଔଷଧର ଅଭାବ ଦେଖାଦେଇଛି। ଖବର ଅନୁଯାୟୀ, ଗଲ୍ କ୍ରିକେଟ୍ ଷ୍ଟାଡିୟମ ବାହାରେ ମଧ୍ୟ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏକାଠି ହୋଇଥିଲେ। ଏଠାରେ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts