ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ସଂସଦ ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆଜି ମଧ୍ୟ ଅଚଳାବସ୍ଥା ଲାଗି ରହିଛି । ପ୍ରଶ୍ନପତ୍ର ଲିକ ନେଇ ବିରୋଧୀ ଗୃହରେ ହଙ୍ଗାମା ଜାରି ରଖିଥିବାବେଳେ ସ୍ବାଭାବିକ ହୋଇପାରୁନି ଉଭୟ ଲୋକସଭା ଓ ରାଜ୍ୟସଭା । ଫଳରେ ବାଚସ୍ପତି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ।  ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଉପରେ ବିନା ସର୍ତ୍ତରେ ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ବିରୋଧୀ ତାହା ଗ୍ରହଣ ନକରି ହୋହୋଲ୍ଲା ଜାରି ରଖିଥିଲେ। ବାରମ୍ବାର ମୁଲତବି ଯୋଗୁ ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲେ ବି କୌଣସି କାର୍ଯ୍ୟ ହୋଇପାରିନାହିଁ । ସଂସଦ ବାହାରେ ଶାସକ ଓ ବିରୋଧୀ ସାଂସଦଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ଆଜି ସଂସଦର ମକର ଦ୍ବାର ସାମ୍ନାରେ ଜୋରଦାର ପ୍ରତିବାଦ ହୋଇଥିଲା। ରାହୁଲଙ୍କ ଧାରଣାକୁ ବିରୋଧରେ ଶାସକ ଦଳ ସାଂସଦମାନେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ରାଜ୍ୟସଭାରେ ବିରୋଧୀଙ୍କୁ ଘେରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ସେ କହିଛନ୍ତି ସେ, ସରକାର ଆଲୋଚନା ପାଇଁ ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବିରୋଧୀମାନେ ସର୍ତ୍ତ ରଖି ଆଲୋଚନା କରିବାକୁ ଚାହୁଁଛନ୍ତି। ପିଲାଙ୍କ ସ୍ବାର୍ଥକୁ ସବୁଠାକୁ ଅଧିକ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୋଷୀ ଯିଏ ହେଉଛି ନା କାହିଁକି କାହାରିକୁ ଛଡ଼ା ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି। ଏହାସହ ସେ କହିଛନ୍ତି, ଆମେ କଂଗ୍ରେସ ସହ କଥା ହେବା ପାଇଁ ଚେଷ୍ଟା କରୁଛି। ବିରୋଧୀ ଦଳ ସହ କଥା ହୋଇ ସମାଧାନର ବାଟ ବାହାର କରିବା ପାଇଁ ଚେଷ୍ଟା କରାଯାଉଛି । କିନ୍ତୁ ବିରୋଧୀ ଆଲୋଚନାକୁ ନ ଆସି ଅଯଥା ରାଜନୀତି କରୁଛନ୍ତି । ଆଜି ସଂସଦରେ ନିଟ୍୍ ପ୍ରଶ୍ନ ପତ୍ର ଲିକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା, ତେବେ ଦୁର୍ଭାଗ୍ୟ ବଶତଃ ବିରୋଧିଙ୍କ ହଙ୍ଗମା ଯୋଗୁଁ ହୋଇପାରିଲା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ନିଟ୍ ପ୍ରଶ୍ନପତ୍ର ପ୍ରଘଟର ପ୍ରତିବାଦରେ କକ୍ରୋଚ୍ ଜନତା ପାର୍ଟି- ସିଜେପି ପକ୍ଷରୁ ସଂସଦ ଚାଲ ଅଭିଯାନ ବେଳେ ପୋଲିସର ବର୍ବରତା ଉପରେ ଆଲୋଚନା ପାଇଁ ବିରୋଧୀ ଦାବି କରି ହୋହଲ୍ଲା କରି ଆସୁଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ହଟ୍ଟଗୋଳ ଫଳରେ ସଂସଦ ଚାଲିପାରୁନାହିଁ। ଆଜି ମଧ୍ୟ ସଂସଦର ଉଭୟ ଗୃହ ମୁଲତବି ରହିଛି।