ଆସନ୍ତାକାଲିଠୁ ସଂସଦର ଶୀତ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଓ ରାଜ୍ୟସଭାର ସବୁ ଦଳର ନେତାଙ୍କୁ ଏହି ସର୍ବଦଳୀୟ ବୈଠକରେ ସାମିଲ ପାଇଁ ନିମନ୍ତ୍ରଣ କରିଛନ୍ତି । ବୈଠକରେ ସଂସଦ କାର୍ଯ୍ୟ କିପରି ସୁରୁଖୁରରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡିବେ କେନ୍ଦ୍ର ସରକାର । ଏଥିସହ ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ବିଧେୟକ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟ ସବୁ ଏହି ବୈଠକରେ ଆଲୋଚନା ହେବ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଉଭୟ ରାଜ୍ୟସଭା ଓ ଲୋକସଭାର ବହୁ ନେତା ସାମିଲ ହେବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୭ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ ଫଳାଫଳ ଏବଂ ୮ତାରିଖରେ ଆସିବାକୁ ଯାଉଛି ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଫଳ । ତେଣୁ ଅଧିବେଶନର ପ୍ରଥମ ଦୁଇ ଦିନ ନିର୍ବାଚନ ଫଳାଫଳକୁ ନେଇ ଗୃହ ସରଗରମ ରହିବା ସମ୍ଭାବନା ରହିଛି । ଅନ୍ୟପଟେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଦରଦାମ ବୃଦ୍ଧି, ଦେଶର ସୀମାରେ ଉତ୍ତେଜନା, ବେରୋଜଗାର ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି ।

Related Posts