
ଭୁବନେଶ୍ୱର,୦୭/୭(ସତ୍ୟପାଠ ବ୍ୟୁରୋ): ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ ।
ଆଜି ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ପହଂଚିଛନ୍ତି । ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ମହାମହିମ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗସ୍ତ ସମୟରେ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ୍ କରାଯିବ । ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ । ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ ।
ଅନ୍ୟପକ୍ଷରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା । କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ । ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।।