ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବାକୁ ଥିବା ବିଜେପି ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ଭେଙ୍କୈୟା ନାୟଡୁଙ୍କୁ ଭେଟିଲେ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପାର୍ଟି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ସହ ଉପରାଷ୍ଟ୍ରପତି ଏମ. ଭେଙ୍କୈୟା ନାୟଡୁଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ପରେ କ୍ଷମତାସୀନ ଏନଡିଏ ମେଣ୍ଟ ନାୟଡୁଙ୍କୁ ହୁଏତ ରାଷ୍ଟ୍ରପତି ପ୍ରାର୍ଥୀ କରି ପାରେ କି ଏବେ ଏ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ରାଷ୍ଟ୍ରପତି ନିର୍ବାଚନ ଲାଗି ବିଜେପି ରାଜନାଥ ଓ ନଡ୍ଡାଙ୍କୁ ପ୍ରାର୍ଥୀ ନିର୍ଦ୍ଧାରଣ ଲାଗି ସବୁ ମେଣ୍ଟ ସହଯୋଗୀଙ୍କ ସହ ଆଲୋଚନା ନିମନ୍ତେ ପ୍ରାଧିକୃତ କରିଛି। ଏଥିରେ ନାୟଡୁଙ୍କ ସହ ରାଜନାଥ, ଅମିତ ଶାହ ଓ ଜେ.ପି.ନଡ୍ଡାଙ୍କ ସାକ୍ଷାତକୁ ଏଥିଲାଗି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

କାରଣ ଆଜି ହିଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମକୁ ନେଇ ମନ୍ଥନ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇ ପାରନ୍ତି। ନାୟଡୁ ସୋମବାର ୩ ଦିବସୀୟ ଗସ୍ତରେ ହାଇଦ୍ରାବାଦ ଯାଇଥିଲେ। ଅନ୍ତର୍ଜାତୀୟ ଯୋଗଦିବସ ଲାଗି ମଙ୍ଗଳବାର ସକାଳେ ପର୍ୟ୍ୟଟନମନ୍ତ୍ରାଳୟଙ୍କ ଦ୍ୱାରା ସିକନ୍ଦରାବାଦରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଯୋଗାଭ୍ୟାସ ମଧ୍ୟ କରିଥିଲେ। ଏହା ପରେ ଯାତ୍ରା କାଟ୍ ଛାଣ୍ଟ କରି ଉପରାଷ୍ଟ୍ରପତି ମଙ୍ଗଳବାର ଦିଲ୍ଲୀ ଫେରିଆସିଛନ୍ତି।