ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧି ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ବସିଥିଲା । ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସହମତି ଭିତ୍ତିରେ ଜଣେ ସର୍ବସମ୍ମତ ପ୍ରାର୍ଥୀ ଦେବା ପାଇଁ ଏକ ସଂକଳ୍ପ ଗୃହୀତ ହୋଇଛି।
ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଭାବରେ ଫାରୁକ ଅବଦୁଲ୍ଲା ଏବଂ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାମ ସୁପାରିସ କରିଥିବା ଆରଏସପିର ଏନ କେ ପ୍ରେମଚନ୍ଦ୍ରନ କହିଛନ୍ତି।
‘ଆଜିର ବୈଠକରେ ଅନେକ ଦଳ ଥିଲେ। ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ସହମତି ଭିତ୍ତିରେ କେବଳ ଜଣେ ପ୍ରାର୍ଥୀଙ୍କୁ ବାଛିବୁ। ସମସ୍ତେ ଏହି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ। ଏ ସଂପର୍କରେ ଆମେ ଅନ୍ୟ ଦଳମାନଙ୍କ ସହିତ ମଧ୍ୟ ପରାମର୍ଶ କରିବୁ। ଏହା ଏକ ଭଲ ଆରମ୍ଭ’ ବୋଲି ବୈଠକ ପରେ ଟିଏମସି ମୁଖ୍ୟ ବାନାର୍ଜୀ କହିଛନ୍ତି।
ଡିଏମକେର ଟି ଆର ବାଲୁ କହିଛନ୍ତି ଯେ ଉପସ୍ଥିତ ନେତାମାନେ ମଲ୍ଲିକାର୍ଜୁନ ଖାର୍ଗେ, ମମତା ବାନାର୍ଜୀ ଏବଂ ଶରଦ ପାୱାରଙ୍କୁ ମିଳିତ ବିରୋଧୀ ଦଳର ପ୍ରାର୍ଥୀଙ୍କ ସଂପର୍କରେ ଦଳଗୁଡ଼ିକ ସହିତ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ଖାର୍ଗେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ସର୍ବସମ୍ମତ ପ୍ରାର୍ଥୀଙ୍କୁ ଠିକ୍ କରିବାରେ ତାଙ୍କ ଦଳ କଂଗ୍ରେସ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବ ।
