
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଜଣେ ୟୁକେ ନିର୍ବାସିତ ବ୍ୟକ୍ତିଙ୍କ ସମେତ ତିନି ଜଣ କଏଦୀ ମଙ୍ଗଳବାର ରାତିରେ ପାଟିଆଲାର ସେଣ୍ଟ୍ରାଲ ଜେଲରୁ ସୁଡଙ୍ଗ ଖୋଳି ଫେରାର ହୋଇଯାଇଛନ୍ତି । ସହରରେ କରୋନା ପାଇଁ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଏହା ସତ୍ତ୍ୱେ ଏହି ତିନି କଏଦୀ ସହରର ମଧ୍ୟଭାଗରେ ଥିବା ଏସଏସପି କାର୍ଯ୍ୟାଳୟ ନିକଟରେ ଥିବା ଜେଲରୁ ଚମ୍ପଟ ମାରିଛନ୍ତି। ତେବେ ପରଦିନ ସକାଳୁ ଜେଲ ଅଧିକାରୀମାନେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ପଡୋଶୀ ରାଜ୍ୟ ପୋଲିସକୁ ସତର୍କ କରାଇଥିଲେ। ବ୍ରିଟେନରୁ ବିତାଡିତ ହୋଇଥିବା ଶେର ସିଂଙ୍କୁ 22 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୋଷୀକୁ ସ୍ଥାନାନ୍ତର କରିବା ନେଇ ଭାରତ-ବ୍ରିଟେନ ମଧ୍ୟରେ ଚୁକ୍ତି ଅନୁଯାୟୀ ତାଙ୍କୁ ଭାରତ ଅଣାଯାଇଥିଲା। ତାଙ୍କୁ ଏକ ସପ୍ତାହ ପୂର୍ବରୁ ବଠିଣ୍ଡା ଜେଲରୁ କଡା ସୁରକ୍ଷା ମଧ୍ୟରେ ପଟିଆଲା ଜେଲକୁ ଅଣାଯାଇଥିଲା। ଦ୍ୱିତୀୟ ପଳାୟନକାରୀ ଇନ୍ଦରଜିତ ସିଂ କପୁରଥାଲା ଜିଲ୍ଲାର ରାଣୀପୁର କାମ୍ବୋ ଗାଁର ହୋଇଥିବା ବେଳେ ତୃତୀୟ ଜଣକ ହେଉଛନ୍ତି ରୋପର ଜିଲ୍ଲାର ଜସପ୍ରୀତ ସିଂ।