ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୧୬ ମସିହା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ବିମୁଦ୍ରୀକରଣକୁ ଆଜି ୬ ବର୍ଷ ପୂରିଛି। ଦୁର୍ନୀତି ଓ କଳାଧନ ରୋକିବା ଏବଂ ଦେଶକୁ ଏକ କମ୍ ନଗଦ ବ୍ୟବହାର ହେଉଥିବା ଅର୍ଥନୀତିରେ ପରିଣତ କରିବା ଭଳି ଲକ୍ଷ୍ୟ ନେଇ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା। ତେବେ ୬ବର୍ଷ ବିତିବା ପରେ ଆଜି ବିମୁଦ୍ରୀକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ବିମୁଦ୍ରୀକରଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ।ମଙ୍ଗଳବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିଜର ୨-୩ କୋଟିପତି ବନ୍ଧୁଙ୍କ ଲାଭ ପାଇଁ ବିମୁଦ୍ରୀକରଣ କରିଥିଲେ। ଏହାଦ୍ବାରା ଦେଶର କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଗୁଡ଼ିକର ମେରୁଦଣ୍ଡ ଭାଙ୍ଗି ଦିଆଯାଇଛି। ଏଭଳି କହିବା ସହ ସେ ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପେପିଏମ୍ ବୋଲି କହିଛନ୍ତି । ରାହୁଲ କହିଛନ୍ତି ଯେ, ନୋଟବନ୍ଦୀ ଘୋଷଣା କରାଗଲା, ଦେଶକୁ କଳାଧନ ଫେରି ଆସିବ ବୋଲି କୁହାଗଲା। ହେଲେ ପ୍ରକୃତରେ ଏହା ଭାରତର ଜନସାଧାରଣ ଅର୍ଥନୀତି ଉପରେ ସିଧାସଳଖ ଆକ୍ରମଣ ଥିଲା। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ କିଛି କୋଟିପତି ଶିଳ୍ପପତିଙ୍କ କଳାଧନକୁ ଧଳା କରିବାର ଯୋଜନା ଥିଲା ବୋଲି କହିଛନ୍ତି ରାହୁଲ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ନଭେମ୍ବର ୮ରେ ଦୁର୍ନୀତି ଓ କଳାଧନ ରୋକିବା ଏବଂ ଦେଶକୁ ଏକ କମ୍ ନଗଦ ବ୍ୟବହାର ହେଉଥିବା ଅର୍ଥନୀତିରେ ପରିଣତ କରିବା ଭଳି ଲକ୍ଷ୍ୟ ନେଇ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା। ସେହିଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଥିଲେ। ତାହାକୁ ବଦଳାଇବା ଲାଗି ଲୋକମାନଙ୍କୁ କିଛି ସମୟ ଦିଆଯାଇଥିଲା। ସେହି ସମୟରେ ଲୋକମାନେ ବ୍ୟାଙ୍କ ଶାଖା ଏବଂ ଏଟିଏମ୍ରେ ଲମ୍ବା ଧାଡ଼ିରେ ଠିଆ ହୋଇ ବେଶ ହନ୍ତସନ୍ତ ହୋଇଥିଲେ। ବିମୁଦ୍ରୀକରଣ ପରେ ନୂଆ ୨୦୦୦ ଟଙ୍କିଆ ନୋଟ୍ ଆସିଥିଲା। ବର୍ତ୍ତମାନ ବଜାରରେ ତାହାକୁ ବିଶେଷ ଦେଖିବାକୁ ମିଳୁନାହିଁ। ଏହା ବ୍ୟତୀତ ସରକାର ନୂଆ ରୂପରେ ୫୦୦ ଟଙ୍କିଆ, ୫୦ ଟଙ୍କିଆ, ୨୦ ଟଙ୍କିଆ ଏବଂ ସମ୍ପୂର୍ଣ୍ଣ ନୂଆ ୨୦୦ ଟଙ୍କିଆ ନୋଟ୍ ମଧ୍ୟ ଆଣିଥିଲେ।
