ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମୃତ୍ୟୁ କୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ରିପୋର୍ଟ ଓ କେନ୍ଦ୍ର ସରକାରଙ୍କ ରିପୋର୍ଟ ମଧ୍ୟରେ ତାଳମେଳ ଖାଉ ନାହିଁ | ଯାହାକୁ ନେଇ କେନ୍ଦ୍ର ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛି | ଯାହାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ|

ବିଜ୍ଞାନ ମିଛ କହେନାହିଁ, ପ୍ରଧାନମନ୍ତ୍ରୀ ମୋଦୀ ମିଛ କହନ୍ତି ବୋଲି ଭାରତରେ ୪.୭ ନିୟୁତ କୋଭିଡ୍ ମୃତ୍ୟୁ ଘଟିଥିବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ରିପୋର୍ଟରେ ଘୋଷଣା କରାଯିବା ପରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଆଜି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି।

ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ସାହାଯ୍ୟ କରିବା ଲାଗି ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ବାଧ୍ୟତାମୂଳକ ଭାବେ ଯୋଗାଇ ଦେବା ଉଚିତ ବୋଲି ମଧ୍ୟ ରାହୁଲ୍‌ ଦାବି କରିଛନ୍ତି।

ଟୁଇଟ୍‌ କରି ସେ କହିଛନ୍ତି, ମହାମାରୀ କାରଣରୁ ୪୭ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ଘଟିଛି। ସରକାର ଘୋଷଣା କରିଥିବା ୪.୮ ଲକ୍ଷ ମୃତ୍ୟୁ ନୁହେଁ। ବିଜ୍ଞାନ ମିଥ୍ୟା କହେ ନାହିଁ। ମୋଦୀ ମିଥ୍ୟା କହନ୍ତି। ରାହୁଲ୍‌ ଆହୁରି ମଧ୍ୟ କହିଛନ୍ତି, ପ୍ରିୟଜନଙ୍କ ହରାଇଥିବା ପରିବାର ବର୍ଗଙ୍କ ସମ୍ମାନ ରକ୍ଷା କର। ସେମାନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କର।

ଗୁରୁବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି ଯେ, ସିଧାସଳଖ କୋଭିଡ୍‌-୧୯ଦ୍ବାରା ଅଥବା ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ସମାଜରେ ମହାମାରୀର ପ୍ରଭାବ ଯୋଗୁଁ ୧୪.୯ ନିୟୁତ ଲୋକ ପ୍ରାଣ ହରାଇଛନ୍ତି।

ଜାତିସଂଘ ରିପୋର୍ଟ ଅନୁସାରେ, ଭାରତରେ ୪.୭ ନିୟୁତ କୋଭିଡ୍‌ ମୃତ୍ୟୁ ଘଟିଛି। ଏହା ହେଉଛି ଭାରତ ସରକାର ଦର୍ଶାଉ ଥିବା କୋଭିଡ୍‌-୧୯ଜନିତ ମୃତ୍ୟୁର ୧୦ଗୁଣ ଏବଂ ବିଶ୍ବରେ ହୋଇଥିବା କୋଭିଡ୍‌-୧୯ଜନିତ ମୃତ୍ୟୁର ପ୍ରାୟ ଏକତୃତୀୟାଂଶ।

କୋଭିଡ୍‌-୧୯ଜନିତ ମୃତ୍ୟୁକୁ ମାତ୍ରାଧିକ କରି ଦର୍ଶାଇବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବ୍ୟବହାର କରିଥିବା ଗାଣିତିକ ମଡେଲ୍‌ଗୁଡ଼ିକ ଉପରେ ଭାରତ ଆପତ୍ତି କରିଛି।