ପାଟନା: ପାହାଚରୁ ଖସିପଡ଼ିବା ପରେ ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ ଭର୍ତି ହୋଇଥିବା ଲାଲୁପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ | ବରିଷ୍ଠ ‘ଆର୍ଜେଡି’ ନେତା ତେଜସ୍ବୀପ୍ରସାଦ ଯାଦବଙ୍କୁ ଫୋନ୍ କରି ତାଙ୍କ ପିତା ତଥା ଦଳର ଅଧ୍ୟକ୍ଷ ଲାଲୁପ୍ରସାଦଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି | ଏନେଇ ତେଜସ୍ବୀଙ୍କର ଜଣେ ଅନ୍ତରଙ୍ଗ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |
‘ବିଜେପି’ର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ସୁଶୀଲ୍ କୁମାର ମୋଦୀ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍ଜେଡି’ ଅଧ୍ୟକ୍ଷ ଲାଲୁପ୍ରସାଦଙ୍କ ସ୍ବାସ୍ଥ୍ୟ ବିଷୟରେ ବିହାର ସରକାର ଗୁରୁତ୍ବ ଦେବା ଉଚିତ।
ଟୁଇଟ୍ କରି ସୁଶୀଲ୍ ମୋଦୀ ଲେଖିଛନ୍ତି: ପ୍ରୟୋଜନ ସ୍ଥଳେ, ଉନ୍ନତ ଚିକିତ୍ସା ନିମନ୍ତେ ବିହାର ସରକାର ତାଙ୍କୁ ତୁରନ୍ତ ଦିଲ୍ଲୀ ପଠାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଉଚିତ।
ହିନ୍ଦୀ ଭାଷାରେ ଟୁଇଟ୍କରି ସୁଶୀଲ୍ ମୋଦୀ ଲେଖିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।
ଉଲ୍ଲେଖଯୋଗ୍ୟ, ପାହାଚରୁ ଖସିପଡ଼ି କାନ୍ଧହାଡ଼ ଭାଙ୍ଗି ଯିବାର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଲାଲୁଙ୍କୁ ପାଟନାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମ୍ପ୍ରତି ସେ ଡାକ୍ତରଖାନାର ‘ଆଇସିୟୁ’ରେ ଚିକିତ୍ସାଧୀନ ଅଛନ୍ତି |
