ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: କୂଟନୀତି ମାଧ୍ୟମରେ ଯୁଦ୍ଧ ସମାପ୍ତ କରିବାକୁ କଲେ ଅପିଲ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା । ଉଭୟ ଫୋନ ଯୋଗେ କଥା ହୋଇଛନ୍ତି । ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦି ପୁଣି ଥରେ ପୁଟିନଙ୍କ ସହ କଥା ହୋଇ ନିଜ ମତ ରଖିଛନ୍ତି । ଏହି ସମୟରେ ପିଏମ ମୋଦୀ ୟୁକ୍ରେନ ସ୍ଥିତି ଉପରେ ଭାରତର ଅଭିମୁଖ୍ୟକୁ ଦୋହରାଇଛନ୍ତି । ମାମଲାର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିକୁ ସେ ସମର୍ଥନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦିଆଯାଇଥିବା ସୂଚନା ଅନୁସାରେ, ୟୁକ୍ରେନର ବର୍ତ୍ତମାନ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତି ପକ୍ଷରେ ଭାରତର ଦୀର୍ଘ ସମୟର ଅଭିମୁଖ୍ୟକୁ ରଖିଥିଲେ ।

ଫୋନରେ କଥା ହୋଇ ଦୁଇ ନେତା ବିଶ୍ୱର ଉର୍ଜା ଏବଂ ଖାଦ୍ୟ ବଜାର ସ୍ଥିତି ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ପିଏମଓର ସୂଚନା ଅନୁସାରେ, ଦୁଇ ନେତା କୃଷି ଉପକରଣ, ସାର ଏବଂ ଫାର୍ମା ଉତ୍ପାଦନରେ ଦ୍ୱିପାକ୍ଷିକ ବ୍ୟବସାୟକୁ କିପରି ଅଧିକ ପ୍ରୋତ୍ସାହିତ କରାଯାଇ ପାରିବ, ଏହା ଉପରେ ଆଲୋଚନା କରିଛନ୍ତି । ଏହାସହ ବିଶ୍ୱର ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ସୂଚନା ଅନୁସାରେ, ୨୦୨୧ ଡିସେମ୍ୱରରେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମୟରେ ନିଆ ଯାଇଥିବା ନିଷ୍ପତ୍ତିର କ୍ରିୟାନ୍ୱୟନ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଏହାଛଡା ବୈଶ୍ୱିକ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ନିୟମିତ ପରାମର୍ଶ ଜାରି ରଖିବା ଉପରେ ସହମତି ପ୍ରକାଶ କରିଛନ୍ତି ।

Related Posts