ଗଣତନ୍ତ୍ର ଦିବସରେ ଆତଙ୍କୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ; ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଏଥର ଦେଶ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ସେପଟେ କୋଭିଡର ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗଣତନ୍ତ୍ର ଦିବସରେ ଅନେକ ଗାଇଡଲାଇନ ସବୁ ଜାରି କରିବାରେ ଲାଗିଛନ୍ତି । ତେବେ ଗଣତନ୍ତ୍ର ଦିବସରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ପାଇଛି। ସେପଟେ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ବିଭାଗ ସମ୍ଭାବ୍ୟ ଆତଙ୍କୀ ହମଲା ନେଇ ୯ ପୃଷ୍ଠାର ଗୋଟିଏ ସତର୍କ ସୂଚନା ଜାରି କରିଛି।

ଏଥିରେ ଗଣତନ୍ତ୍ର ଦିବସ କାର‌୍ୟ୍ୟକ୍ରମରେ ହମଲା କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିବା କୁହାଯାଇଛି। ଏହାର ଅର୍ଥ ଦେଶର ୭୫ତମ ଗଣତନ୍ତ୍ର ଦିବସରେ ଉପସ୍ଥିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି। ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ କାଜାଖସ୍ତାନ, କିର୍ଗିଜସ୍ତାନ, ତାଜାକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ନେତାମାନଙ୍କୁ ମୁଖ୍ୟ ଅତିଥି ଭାବେ ଭାରତ ସରକାର ନିମନ୍ତ୍ରଣ କରିବେ। ତେଣୁ ସେହିଦିନ ହମଲା କରି ଆତଙ୍କ ସୃଷ୍ଟି କରିବା ପ୍ରୟାସରେ ଅଛନ୍ତି ଆତଙ୍କୀ । ଅନ୍ୟପଟେ ଗୁଇନ୍ଦା ବିଭାଗ ଦେଇଥିବା ଗୁପ୍ତ ସୂଚନାରେ କୁହାଯାଇଛି ଯେ ଲସ୍କର-ଇ-ତେ ତୋଏବା, ରେଜିଷ୍ଟାନ୍ସ ଫୋର୍ସ, ଜୈଶ-ଏ-ମହମ୍ମଦ, ହର୍କତ-ଉଲ-ମୁଜାହିଦ୍ଦିନ ଏବଂ ହିଜବ-ଉଲ-ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ଷଡଯନ୍ତ୍ରରେ ସାମିଲ୍ ଅଛନ୍ତି।

Related Posts