(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ କରୋନା କଟକଣା ମଧ୍ୟରେ ହେବ। ତେବେ ଏହା ପୂର୍ବରୁ କରୋନା ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହି ୨ ଜଣ ପଜିଟିଭଙ୍କ ନାଁ ସାର୍ବଜନୀନ କରାଯାଇ ନାହିଁ।
ଗତଥର ଭଳି ଚଳିତ ଥର ମଧ୍ୟ କରୋନା କଟକଣା ମଧ୍ୟରେ ଗୃହ ଚାଲିବାକୁ ଥିବାରୁ ରବିବାର ଠାରୁ ଟେଷ୍ଟ ଆରମ୍ଭ ହୋଇଛି। ତେବେ ୪୯୩ ଜଣଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ସେଥି ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଯେଉଁମାନଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ କେବଳ ସେମାନଙ୍କୁ ହିଁ ବିଧାନସଭା ପରିସରକୁ ଆସିବାକୁ ଅନୁମତି ମିଳିବ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଆସନ୍ତା ୯ ତାରିଖ ଯାଏ ଚାଲିବ । ତେବେ ମୋଟ ୮ଟି କାର୍ଯ୍ୟଦିବସ ଥିବା ବେଳେ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଗୃହକାର୍ଯ୍ୟ ପୂର୍ବାହ୍ନ ସାଢ଼େ ୧୦ରୁ ଆରମ୍ଭ ହୋଇ ୧.୩୦ ଏବଂ ଅପରାହ୍ନରେ ୪ଟାରୁ ୬ଟା ଯାଏ ଚାଲିବ । ଏଥର ଅଧିବେଶନରେ ତାରକା ପ୍ରଶ୍ନ ରହିବ ।
ଗୃହରେ ମୁଲତବି ପ୍ରସ୍ତାବ ଆଲୋଚନା ମଧ୍ୟ କରାଯିବ । ଏ ଅଧିବେଶନ କାଳରେ ବିଜେପିକୁ ୪ଟି ଏବଂ କଂଗ୍ରେସକୁ ୨ଟି ମୁଲତବି ପ୍ରସ୍ତାବ ଆଣିବାଲାଗି ସୁଯୋଗ ମିଳିବ । ୯୦ ମିନିଟରେ ମୁଲତବି ଆଲୋଚନା ଶେଷ ହେବ ବୋଲି ସୂଚନା ମିଳିଛି । ତେବେ ଏଥର ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଏହା ପୂର୍ବରୁ ବିଧାନସଭାକୁ ସୁରୁଖୁରୁରେ ଚଳାଇବାପାଇଁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସବୁଦଳର ନେତାମାନଙ୍କ ସହଯୋଗ କାମନା କରିଛନ୍ତି ।
