
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅନଲାଇନ୍ରେ ୟୁଜି ଶେଷ ସେମିଷ୍ଟର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ ପାଇପାରି ନାହାନ୍ତି। ଫଳରେ ରାଜ୍ୟ ବାହାରେ ପଢ଼ିବାକୁ ଇଚ୍ଛା ରଖିଥିବା ବହୁ ଛାତ୍ରଛାତ୍ରୀ ଏବେ ଫର୍ମ ପକାଇ ପାରୁ ନାହାନ୍ତି। ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ଦୃଷ୍ଟିରେ ରଖି ସ୍ନାତକ ଶେଷ ସେମିଷ୍ଟାରର ପରୀକ୍ଷାର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍ ଖୁବଶୀଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ୟୁଜି ଛାତ୍ରଛାତ୍ରୀମାନେ ଅନଲାଇନ୍ ରେ ଷଷ୍ଠ ସେମିଷ୍ଟର ପରୀକ୍ଷା ଦେଇଥିଲେ । କିନ୍ତୁ ଏହାର ରେଜଲ୍ଟ ପ୍ରକାଶ ପାଇନଥିବାରୁ ସେମାନେ କଲେଜ୍ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ଶିକ୍ଷା ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସତ୍ତ୍ୱେ ବି ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ପ୍ରୋଭିଜିନାଲ ମାର୍କସିଟ୍ ଦିଆଯାଇନାହିଁ।
ଯେହେତୁ ଅନେକ ଗୁଡ଼ିଏ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଓଡିଶାର ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଅନେକ ଛାତ୍ରଛାତ୍ରୀ ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭାରଥିଆର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି।
ମୁମ୍ବାଇ ବିଶ୍ୱବିଦ୍ୟାଳୟ, କୁମାଉଁ ବିଶ୍ୱବିଦ୍ୟାଳୟ ଭଳି ଅନେକ ବିଶ୍ୱବିଦ୍ୟାଳୟରେ ଆଡମିସନ ତାରିଖ ନିକଟବର୍ତ୍ତୀ ହେଉଥିବାରୁ ଛାତ୍ରଛାତ୍ରୀମାନେ ନେଇ ଦ୍ୱନ୍ଦ୍ବରେ ଅଛନ୍ତି। ଏହାସହ ରାଜ୍ୟ ବାହାରେ ଅଫଲାଇନ୍ ମାଧ୍ୟମରେ ହେଉଥିବା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଂଚିତ ହେଉଥିବା ସେ କହିଛନ୍ତି । ଏହାସହ ରାଜ୍ୟ ବାହାରେ ଅଫଲାଇନ ମାଧ୍ୟମରେ ହେଉଥିବା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।
ଏ ସବୁ ଦିଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଷଷ୍ଠ ସେମିଷ୍ଟାର ପରୀକ୍ଷାର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍ ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ପ୍ରୋଭିଜିନାଲ ମାର୍କସିଟ୍ ଦିଆଗଲେ ପରୀକ୍ଷାର୍ଥୀମାନେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକତୋର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ପାଇପାରିବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।