କୋର୍ଟ ଚାଲାଣ ହେବାର ଦିନକ ପରେ ବନ୍ଦୀ ମୃତ: ଆସିଲା ହାଜତ ମୃତ୍ୟୁ ଭଳି ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: କୋର୍ଟ ଚାଲାଣ ହେବାର ଦିନକ ପରେ ଆଖି ବୁଜିଲେ ବନ୍ଦୀ | ସେପଟେ ତାଙ୍କର ଏହି ମୃତ୍ୟ କୁ ନେଇ ପରିବାର ଲୋକ ସହଜେ ଗ୍ରହଣ କରିପାରିନଥିବା ବେଳେ, ହାଜତ ମୃତ୍ୟୁ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି | ପୁଣି ଥରେ ଚର୍ଚ୍ଚ ଓ ସନ୍ଦେହଘେରକୁ ଆସିଛି ବ୍ରହ୍ମପୁର ଜିଲ୍ଲାର ଗୋଳନ୍ଥରା ଥାନା ।

ସୂଚନା ମୁତାବିକ ଗିରଫ ଅଭିଯୁକ୍ତ ମିଟୁ ବେହେରା କୋର୍ଟ ଚାଲାଣ ହେବା ପରେ ଜେଲରେ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ତାଙ୍କୁ ବଡ ମେଡିକାଲ ପଠାଯାଇଥିଲା, ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି ।

ଅପରପକ୍ଷେ ପୋଲିସ ହାଜତରେ ମାଡ ଯୋଗୁଁ ମିଟୁର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମିଟୁର ସନ୍ଦେହଜନକ ମୃତ୍ୟୁକୁ ନେଇ ଏମକେସିଜି ମେଡିକାଲରେ ମୃତକଙ୍କ ସମ୍ପର୍କୀୟ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଟାଉନ୍ ଏସଡିପିଓ ବିଷ୍ଣୁପ୍ରସାଦ ପତି, ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ପହଞ୍ଚି ସେମାନଙ୍କୁ ବୁଝାସୁଜା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବେଆଇନ୍ ମଦ କାରବାର ଅଭିଯୋଗରେ ଗତ ୧ ତାରିଖରେ ଗୋଳନ୍ଥରା ଥାନା ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ସେମାନଙ୍କ ମଧ୍ୟରେ ମିଟୁ ବ୍ରହ୍ମପୁର ମଣ୍ଡଳ କାରଗାରରେ ବିଚାରଧୀନ ବନ୍ଦୀ ଥିଲେ । ତେବେ କୋର୍ଟ ଚାଲାଣର ଗୋଟେ ଦିନ ପରେ ମିଟୁର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର । ପରିବାର ଲୋକେ ଅଭିଯୋଗ କରିଛନ୍ତି, ପୋଲିସ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରି ମାଡ ମାରିବା ଯୋଗୁଁ ମୃତ୍ୟୁ ଘଟିଛି ।

Related Posts