କୋଭିଡର ବିନାଶକାରୀ ପରିସ୍ଥିତି ପାଇଁ କେନ୍ଦ୍ରର ଦୁର୍ବଳ ନେତୃତ୍ୱ ଦାୟୀ: ପୃଥୀରାଜ୍ ଚୌହାନ

prithivi raj chauhan

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନାର ଦ୍ବିତୀୟ ଲହରୀରେ ଉପୁଜୁଥିବା ବିନାଶକାରୀ ସ୍ଥିତି ପାଇଁ କେନ୍ଦ୍ରର ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପୃଥୀରାଜ୍ ଚୌହାନ। ଦେଶରେ ଅମ୍ଳଜାନ ସଙ୍କଟ ପାଇଁ ସେ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିବା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ନାଁ ନନେଇ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଗତ ବର୍ଷ ଅକ୍ଟୋବର 20 ରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଭାରତରେ ଅମ୍ଳଜାନର ଅଭାବ ନଥିବା ମନ୍ତବ୍ୟକୁ କଂଗ୍ରେସ ନେତା ପୃଥୀରାଜ ଚୌହାନ ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି ଯେ ,” ସ୍ବାସ୍ଥ୍ୟ ସଚିବ ସେହି ସମୟରେ କହିଥିଲେ ଦେଶର 390 ଡାକ୍ତରଖାନାରେ PSA ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟ ସ୍ଥାପନ କରିବାକୁ ସରକାର ସକ୍ରିୟ ଯୋଜନା କରୁଛନ୍ତି । ଏବଂ ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ କହିଥିଲେ ଯେ କୋଭିଡ -19 ମାମଲାରେ ଆଶାତୀତ ବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ସରକାର ଏକ ଲକ୍ଷ ମେଟ୍ରିକ ଟନ୍ ମେଡିକାଲ ଅମ୍ଳଜାନ ଆମଦାନୀ ଆରମ୍ଭ କରିଛନ୍ତି।”

ଚୌହାନ କହିଛନ୍ତି, ” ଏହା ସ୍ପଷ୍ଟ ଯେ ସରକାର ଅମ୍ଳଜାନର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଠିକ୍ ସମୟରେ କାର୍ଯ୍ୟ କରିବାରେ ସରକାର ବିଫଳ ହୋଇଥିଲେ, ଯାହା ଦ୍ବାରା ଅମ୍ଳଜାନ ସଙ୍କଟ ଦେଖାଦେଇଛି ।” କଂଗ୍ରେସର ବରିଷ୍ଠ ନେତା ଏହା ମଧ୍ୟ କହିଛନ୍ତି ଯେ ଡାକ୍ତରଖାନାରେ ବେଡ୍ ଏବଂ ମେଡିକାଲ ଅମ୍ଳଜାନ ପାଇଁ ପ୍ରତି ମିନିଟରେ କଲ୍ କରୁଛନ୍ତି। ଡାକ୍ତରଖାନାଗୁଡ଼ିକ ରୋଗୀଙ୍କୁ ଆଡମିଶନ କରିବାକୁ ମନା କରୁଛନ୍ତି ଏବଂ ଅମ୍ଳଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଖବର ଦେଶର ବିଭିନ୍ନ ସ୍ଥାନରୁ ଆସୁଛି ବୋଲି ସେ ପ୍ରକାଶ କରିଛନ୍ତି।”ଗତ ପାଞ୍ଚ ମାସ ମଧ୍ୟରେ ଯୋଜନାବଦ୍ଧ ଏକ ଲକ୍ଷ ମେଟ୍ରିକ ଟନ୍ ମେଡିକାଲ ଅମ୍ଳଜାନ ଆମଦାନୀ କରିବା ପାଇଁ କାହିଁକି ତୁରନ୍ତ, ପ୍ରଭାବଶାଳୀ ପଦକ୍ଷେପ ନିଆଗଲା ନାହିଁ?” ବୋଲି ଚୌହାନ ପ୍ରଶ୍ନ କରିଛନ୍ତି । ୱାର୍ଲ୍ଡ ଇକୋନୋମିକ ଫୋରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀ ଉପରେ ଆତ୍ମ-ଘୋଷିତ ବିଜୟକୁ ସେ କଟୁ ଭାଷାରେ ସମାଲୋଚନା କରିଛନ୍ତି। ବିଶେଷ କରି 50 ରୁ ଅଧିକ ଦେଶ ଭାରତରୁ ଆସୁଥିବା ବିମାନକୁ ନିଷିଦ୍ଧ କରିଥିବାରୁ ନେଇ ସେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Related Posts