ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ କରିବାପାଇଁ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ କରିବାପାଇଁ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା । ହେଲେ କେବେ ଆସିବେ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । ସେପଟେ ଜୟପୁରରେ ଏଆଇସିସିର ଚାଲିଥିବା ଚିନ୍ତନ ଶିବିରରୁ ଫେରି ଏ ସଂପର୍କରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଯଦି ପ୍ରିୟଙ୍କା ଓଡ଼ିଶା ଆସନ୍ତି ତାହାଲେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ଏଆଇସିସିର ଉଦୟପୁର ଚିନ୍ତନ ଶିବିର ଗତ ରବିବାର ଶେଷ ହୋଇଛି। କଂଗ୍ରେସର ଅନେକ ନେତାମାନେ ପ୍ରିୟଙ୍କା ଗାନ୍ଧି ଦଳର ମଙ୍ଗ ଧରନ୍ତୁ ବୋଲି ବୈଠକରେ ଦାବି ରଖିଛନ୍ତି। ଏଭଳି ପରିସ୍ଥିତିରେ ପ୍ରିୟାଙ୍କାଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ଚିନ୍ତନ ଶିବିରରେ ପିସିସି ସଭାପତିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲା ବେଳେ ଉଭୟ ରାହୁଲ ଓ ପ୍ରିୟଙ୍କା ଓଡ଼ିଶାର ନେତାମାନଙ୍କ ସହିତ ସ୍ବତନ୍ତ୍ରଭାବେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

ଓଡ଼ିଶା ସଂପର୍କରେ ସ୍ବତନ୍ତ୍ରଭାବେ କିଛି ଆଲୋଚନା ହୋଇ ନ ଥିଲେ ହେଁ ପ୍ରିୟଙ୍କା ସହିତ ନିରଞ୍ଜନ ଏକତ୍ର ଆଲୋଚନା କରୁଥିବା ଫଟୋ ବେଶ୍ ଚର୍ଚାକୁ ଆସିଥିଲା। ଗୋଟିଏ ପଟେ ରାଜ୍ୟରେ ପିସିସି ସଭାପତି ପରିବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଉଭୟ ପ୍ରିୟଙ୍କା-ନିରଞ୍ଜନ ଏକାଠି ଆଲୋଚନା କରିବାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଚିନ୍ତନ ଶିବିର ପରେ ରାଜ୍ୟରେ ନୂଆ ପିସିସି ସଭାପତି ଘୋଷଣା ହୋଇପାରେ। ଯେହେତୁ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେବା ଓ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚା ହେଉଛି, ତେଣୁ ରାଜ୍ୟରେ ବଡ଼ ଧରଣର ସାଙ୍ଗଠନିକ ପରିବର୍ତନ ହୋଇପାରେ ବୋଲି କୁହାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts