ବିରୋଧ ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ – ଦିଲ୍ଲୀ ହାଇକୋର୍ଟ : ପିଞ୍ଜରା ତୋଡ଼ର ସଦସ୍ୟଙ୍କୁ ମିଳିଲା ଜାମିନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗଣତାନ୍ତ୍ରରେ ବିରୋଧ ପ୍ରଦର୍ଶନ କରିବା ହେଉଛି ସାମ୍ବିଧାନିକ ଅଧିକାର । ବିରୋଧ ପ୍ରଦର୍ଶନକୁ ଆତଙ୍କବାଦ ସହ ତୁଳନା କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ପିଞ୍ଜରା ତୋଡ଼ ସଂଗଠନର ସ୍ୱେଚ୍ଛାସେବୀ ଦେବାଙ୍ଗନା କାଲିତା, ନତାଶା ନରୱାଲ ଓ ଜାମିଆ ଛାତ୍ର ଆସିଫ ଇକବାଲଙ୍କୁ ଜାମିନ ପ୍ରଦାନ କରି ଦିଲ୍ଲୀ ହାଇକୋର୍ଟ ଆଜି ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବିବାଦୀୟ ସିଏଏ ଆଇନ ବିରୋଧରେ ଗତ ବର୍ଷ ପିଞ୍ଜରା ତୋଡ଼ ସଂଗଠନର ସଦସ୍ୟ ନତାଶା ନରଓ୍ବାଲ ଏବଂ ଦେବାଙ୍ଗନା କାଳିତା ତଥା ଜାମିଆ ମିଲିଆ ଇସଲାମିଆ ଛାତ୍ର ଆଶିଫ୍‌ ଇକ୍‌ବାଲ୍‌ ତହ୍ନାଙ୍କୁ ଦିଲ୍ଲୀ ଦଙ୍ଗା ଘଟଣାରେ ପୁଲିସ୍‌ ୟୁଏପିଏ ବଳରେ ଗିରଫ କରିଥିଲା। ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ଏହି ସମସ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ କରି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ଅନୁପ ଜୟରାମ ଭମଭବାନୀ କହିଛନ୍ତି, ବିରୋଧ ପ୍ରଦର୍ଶନ କରିବା କୌଣସି ଆତଙ୍କବାଦ ନୁହେଁ। ସରକାରଙ୍କ ବିରୋଧରେ ଉପୁଜୁଥିବା ଅସନ୍ତୋଷକୁ ଦମନ କରିବାକୁ ଯାଇ ବିରୋଧ ପ୍ରଦର୍ଶନ କରିବା ପାଇଁ ସମ୍ବିଧାନରେ ଦିଆଯାଇଥିବା ଅଧିକାର ଓ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଥିବା ପାର୍ଥକ୍ୟର ରେଖାକୁ ଭୁଲି ଯାଉଛନ୍ତି ,ସରକାର ଏହା ବୁଝିବା ଦରକାର। ଯଦି ଏହାକୁ କେହି ବୁଝି ନପାରିବେ ତେବେ ଏହା ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଗୋଟିଏ ଦୁଃଖଦ ଦିନ ହେବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୨୦ ଫେବୃୟାରୀ ୨୪ରେ ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଉତ୍ତର- ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାର ଷଡ଼ଯନ୍ତ୍ର ରଚିଥିବା ନେଇ ନତାଶା, ଦେବାଙ୍ଗନା ଏବଂ ଆଶିଫ୍‌ଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ଏହି ଘଟଣାରେ ମେ ମାସରେ ନତାଶା ନରଓ୍ବାଲ ଏବଂ ଦେବାଙ୍ଗନା କାଳିତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ସେହି ମାମଲାରେ କୋର୍ଟ କହିଛନ୍ତି ଯେ ଅଭିଯୋଗ ମୁତାବକ ବିରୋଧ ପ୍ରଦର୍ଶନ କରୁଥିବା ଭିଡିଓରେ ନରୱାଲ ହିଂସାକୁ ଉତ୍ସାହିତ କରୁଥିବାର କୌଣସି ପ୍ରମାଣ ନାହିଁ। ଜାମିନ ଆଦେଶର ଗୋଟିଏ ଦିନ ପରେ ସେମାନଙ୍କୁ ପୁଣି ଥରେ ଗିରଫ କରାଯାଇଥିଲା। ଜେଲରେ ଥିବା ବେଳେ ନତାଶା ତାଙ୍କ ବାପା ତଥା ବରିଷ୍ଠ ସିପିଏମ୍ ନେତା ମହାବୀର ନରୱାଲଙ୍କୁ କରୋନାରେ ହରାଇଥିଲେ। ଏହି ସମୟରେ ତିନି ସପ୍ତାହ ପାଇଁ ତାଙ୍କୁ ଜାମିନରେ ଛଡ଼ା ଯାଇଥିଲା। ଜାନୁଆରୀ ମାସରେ ଦିଲ୍ଲୀର ଏକ ସେସନ୍ କୋର୍ଟ ଦେବାଙ୍ଗନାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ହେଲେ ଆଜି ହାଇକୋର୍ଟ ଏମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଅସିଫଙ୍କୁ କୋର୍ଟ ପରୀକ୍ଷା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜୁନ୍ ୨୬ରେ ସେ ଜେଲକୁ ଆସିବାର ଥିଲା। କିନ୍ତୁ ଆଜି କୋର୍ଟ ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି। ଗତ ବର୍ଷ ଫେବୃଆରୀ ମାସରେ ଦିଲ୍ଲୀର ଉତ୍ତର-ପୂର୍ବ ଭାଗରେ ଦଙ୍ଗା ସୃଷ୍ଟି ହୋଇଥିଲା ଏଥିରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ।

Related Posts