କୁମ୍ଭମେଳାରେ ୧ ଲକ୍ଷ କରୋନା ଟେଷ୍ଟ ନକଲି : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରାଖଣ୍ଡର ହରିଦ୍ୱାରାରେ ଅନୁଷ୍ଠିତ ହୋଇଥିବା କୁମ୍ଭମେଳାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେହି ସମୟରେ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରାୟ ୪ ଲକ୍ଷ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ଦାବି କରାଯାଇଥିଲା। ବର୍ତ୍ତମାନ ଏହି ଟେଷ୍ଟିଂ ମାମଲାରେ ବଡ ଧରଣର ଜାଲିଆତି ହୋଇଥିବା କୁହାଯାଉଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରାୟ ୧ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ନକଲି ଥିଲା। ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଗୋଟିଏ ଫୋନ ନମ୍ବରରେ ମାଧ୍ୟମରେ ୫୦ରୁ ଅଧିକ ଲୋକଙ୍କ ରେଜିଷ୍ଟ୍ରେସନ କରାଯାଇଛି । ଏବଂ ଗୋଟିଏ ଆଣ୍ଟିଜେନ ଟେଷ୍ଟ କିଟ୍‌ରେ ୭୦୦ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ନେଇ ଏହି ତଦନ୍ତରୁ ଜଣାପଡିଛି । ଟେଷ୍ଟ ହୋଇଥିବା ଲୋକଙ୍କ ଠିକଣା ଓ ନାଁ ମଧ୍ୟ ଭୁଲ ଥିଲା । ହରିଦ୍ୱାରର ହାଉସ ନଂ ୫ରୁ ୫୩୦ଟି ନମୁନା ସଂଗ୍ରହ କରାଯାଇଥିବା ଏଥିରେ ଦର୍ଶାଯାଇଛି। ସେହିପରି ଆଲିଗଡ଼ରେ ହାଉସ ନଂ ୫୬ ଓ ମୁମ୍ବାଇରେ ଥିବା ହାଉସ ନମ୍ବର ୭୬କୁ ମଧ୍ୟ କିଛି ଲୋକଙ୍କ ଠିକଣା ଭାବେ ଦର୍ଶାଯାଇଛି। ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ଯେ, ଫୋନ ନମ୍ବର ମଧ୍ୟ ନକଲି ଥିଲା। ଏବଂ କାନପୁର, ଅହମଦାବାଦ, ମୁମ୍ବାଇ ଓ ଅନ୍ୟାନ୍ୟ ୧୮ଟି ସ୍ଥାନରେ ରହୁଥିବା ଲୋକମାନେ ସମାନ ଫୋନ ନମ୍ବର ଦେଇଥିବା ନେଇ ଏହି ତଦନ୍ତରୁ ଜଣାପଡିଛି । କୁମ୍ଭ ମେଳାର ସ୍ୱାସ୍ଥ୍ୟ ଅଧିକାରୀ ଡା ଅର୍ଜୁନ ସିଂହ ସେନଗର କହିଛନ୍ତି,” ଏଜେନ୍ସି ଦୁଇଟି ଘରୋଇ ଲ୍ୟାବରେ ନମୁନା ଟେଷ୍ଟ କରିଥିଲା। ଏହି ଲ୍ୟାବଗୁଡ଼ିକରେ ମଧ୍ୟ ତଦନ୍ତ ଚାଲିଛି। ” ସ୍ୱାସ୍ଥ୍ୟ ସଚିବ ଅମିତ ନେଗିଙ୍କ ସୂଚନା ମୁତାବକ , ଡିଏମ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟେଷ୍ଟ ଦାୟିତ୍ୱ ନେଇଥିବା ଏଜେନ୍ସିର କର୍ମଚାରୀମାନେ ନମୁନା ସଂଗ୍ରହ କରିଥିବା ପ୍ରାୟ ୨୦୦ ନମୁନା ଛାତ୍ରଛାତ୍ରୀ ଓ ରାଜସ୍ଥାନରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ବୋଲି ଜଣାପଡ଼ିଛି , ଯେଉଁମାନେ କେବେବି ହରିଦ୍ୱାର ଆସି ନଥିଲେ। ଯେତେବେଳେ ତଦନ୍ତକାରୀ ସଂସ୍ଥା ଏଜେନ୍ସିରେ ପଞ୍ଜୀକୃତ ନମୁନା ସଂଗ୍ରହକାରୀଙ୍କ ସହ ଯୋଗାଯୋଗ କରିଥିଲେ ସେତେବେଳେ ଜଣାପଡିଥିଲା ଯେ ସେମାନଙ୍କ ମଧ୍ୟରୁ ୫୦% ରାଜସ୍ଥାନର ବାସିନ୍ଦା, ଅନେକ ଛାତ୍ରଛାତ୍ରୀ କିମ୍ବା ଡାଟା ଏଣ୍ଟ୍ରି ଅପରେଟର ଥିଲେ ବୋଲି ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, କୁମ୍ଭ ସମୟରେ ଦୈନିକ ଅତି କମରେ ୫୦ ହଜାର କୋଭିଡ୍ ଟେଷ୍ଟ କରିବା ପାଇଁ ହାଇକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ଆଠଟି ନମୁନା ସଂଗ୍ରହ କରୁଥିବା ଏଜେନ୍ସିକୁ ଦାୟିତ୍ୱ ଦେଇଥିଲେ। ଏପ୍ରିଲ ୧ରୁ ୩୦ ତାରିଖ ଯାଏ ହରିଦ୍ୱାରରେ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ୫୦ ହଜାର ନମୁନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରାୟ ୪ ଲକ୍ଷ ଟେଷ୍ଟ ୩୦ଟି ଏଜେନ୍ସି ଓ ୨୨ଟି ଘରୋଇ ଲ୍ୟାବ ଜରିଆରେ ହୋଇଥିଲା । ତେବେ ଏଥି ମଧ୍ୟରୁ ମଧ୍ୟରୁ ୧ ଲକ୍ଷ କରୋନା ଟେଷ୍ଟ ନକଲି ବୋଲି ଜଣାପଡ଼ିଛି। ଏବଂ ସେଥି ମଧ୍ୟରୁ ୧୭୭ଟି ନମୁନା ପଜିଟିଭ ବାହାରିଥିବା ବେଳେ ପଜିଟିଭିଟି ରେଟ ୦.୧୮% ରହିଛି। କିନ୍ତୁ ଏପ୍ରିଲ ମାସରେ ହରିଦ୍ୱାରରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଥିଲା। ଏଜେନ୍ସି ମାନଙ୍କୁ ପ୍ରତି ଟେଷ୍ଟ ପିଛା ୩୫୦ ଟଙ୍କା ଲେଖାଏଁ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ତଦନ୍ତ ରିପୋର୍ଟ ଆସିବାର ଏକ ସପ୍ତାହ ପୂର୍ବରୁ ପଞ୍ଜାବର ଜଣେ ବ୍ୟକ୍ତି – ଯିଏକି କୁମ୍ଭ ମେଳାକୁ ଯାଇନଥିଲେ- ହରିଦ୍ୱାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ଫୋନକୁ କୋଭିଡ୍-ନେଗେଟିଭ୍ ରିପୋର୍ଟ ପଠାଯାଇଥିଲା। ଏହା ପରେ ଏହି ଜାଲିଆତି ଘଟଣା ସାମ୍ନାକୁ ଆସିଥିଲା। ତେବେ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏଜେନ୍ସିଗୁଡିକର ଟେଷ୍ଟ ରିପୋର୍ଟ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।

Related Posts