
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧାଙ୍କ ମୂର୍ତ୍ତି ସ୍ଥାନାନ୍ତରକୁ ନେଇ ବିବାଦ ଥମିବାର ନାଁ ଧରୁନି। ଆଜି ଅର୍ଥାତ୍ ରବିବାର ଏହାକୁ ସ୍ଥାନାନ୍ତର କରିବାବେଳେ ଗୋଟିଏ ସଖୀ ମୂର୍ତ୍ତି ଭାଙ୍ଗିଯାଇଥିବା ଜଣାପଡ଼ିବା ପରେ ଏହାର କଡା ବିରୋଧ କରାଯାଇଛି। ରବିବାର ଦିନ ଭୁବନେଶ୍ୱରରେ ଯେହେତୁ ସଟଡାଉନ୍ କଟକଣା ଲାଗୁ ହୋଇଛି ସେତେବେଳେ ତରବରିଆ ଭାବେ କାହିଁକି ମୂର୍ତ୍ତି ସ୍ଥାନାନ୍ତର କରାଯାଉଛି ବୋଲି ବିରୋଧ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ବିରୋଧ ପ୍ରଦର୍ଶନ କରିଥିଲେ।
ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘୋଡ଼ା ମୂର୍ତ୍ତି ହଟାଯିବି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର ନିଷ୍ପତ୍ତିରୁ ଓହରି ଯାଇଥିଲେ। ମୂର୍ତ୍ତିକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ଏହା ଚାରିପଟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ଏହାପରେ ଆଜି ଘୋଡ଼ା ମୂର୍ତ୍ତି ଚାରିପଟେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ କାମ ଆରମ୍ଭରୁ ଘୋଡ଼ା ଚାରିପଟେ ଥିବା ବିଭିନ୍ନ ସଖୀ ମୂର୍ତ୍ତିରୁ ଆଜି ଗୋଟିଏ ଭାଙ୍ଗି ଅନ୍ୟତ୍ର ପଡ଼ିଯାଇଛି । ତେବେ ଏହି ଖବର ଜାଣିବା ପରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ କର୍ମକର୍ତ୍ତା ମାନେ ଏହାର ବିରୋଧ କରିଥିଲେ।
ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି ଯେ, ” ଓଡ଼ିଆ ଜାତିର ଅସ୍ମିତା, ବୀରତ୍ୱର ପ୍ରତୀକ, ସାମରିକ ପରମ୍ପରାର ଐତିହ୍ୟ ଭାବେ ପରିଚିତ ଏହି ଘୋଡ଼ାକୁ ନହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ବାହାରୁ ଆସୁଥିବା ଲୋକେ ଏଠାରେ ଉତ୍କଳର ବୀରତ୍ୱର ପ୍ରତୀକର ଝଲକ ପାଇଥାନ୍ତି। ତେଣୁ ଏହି ଐତିହ୍ୟକୁ ନଷ୍ଟ କରିବାକୁ ଦିଆଯିବ ନାହିଁ। ଘୋଡ଼ା ପ୍ରତିମୂର୍ତ୍ତି ରହିବ ଓ ତା’ର ଚାରିପଟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓ ତାଙ୍କ ପଦାଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ତାହା ପ୍ରତାରଣା ସଦୃଶ ହୋଇଛି। ଘୋଡ଼ା ମୂର୍ତ୍ତିକୁ ନଷ୍ଟ କରିବାକୁ ଯେଉଁ ଅପପ୍ରୟାସ ଚାଲିଛି ସରକାର ତୁରନ୍ତ ସେଥିରୁ ନିବୃତ୍ତ ରୁହନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି। ‘