ଶିକ୍ଷାନୁଷ୍ଠାନରେ ରାଗିଂ ବିରୋଧରେ ଆଇନ ଆଣିବାକୁ ହାଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଶିକ୍ଷାନୁଷ୍ଠାନରେ ରାଗିଂ ବିରୋଧରେ କଠୋର ଆଇନ ଅଣାଯାଉ। ରାଗିଂର ଅଭିଯୋଗ ଗୁଡ଼ିକୁ ତୁରନ୍ତ ପାଇଁ ଏକ ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ବ୍ୟବସ୍ଥା ହେଉ । ଏହି ଦାବି କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରାଯାଇଛି।ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏହି ମାମଲା ଦାୟର ହୋଇଥିବା ଜଣାପଡିଛି ।

ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ବର୍ତ୍ତମାନ ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂ ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହୋଇଛି ।ବିଜେବି କଲେଜ ଛାତ୍ରୀ, ବଲାଙ୍ଗୀର ମେଡିକାଲ କଲେଜ ଛାତ୍ର ମୃତ୍ୟୁ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ମାତ୍ର ରାଗିଂ ବିରୋଧରେ ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଅନ୍ୟ ରାଜ୍ୟ ଭଳି ନିର୍ଦ୍ଦିଷ୍ଟ ଆଇନ ନାହିଁ । ରାଗିଂ ଅଭିଯୋଗ ଗୁଡ଼ିକୁ ଶୁଣିବା ପାଇଁ କୌଣସି ଟୋଲ-ଫ୍ରି ନମ୍ବର ମଧ୍ୟ ନାହିଁ । ଏହା ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କୁ ବହୁବାର ଦାବି କରାଯିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।ଏଣୁ ମହାସଂଘ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ମହାସଂଘ ପକ୍ଷରୁ ଆଇନଜୀବୀ ଆଦିଶା ମହାନ୍ତି ମାମଲା ଦାୟର କରିଛନ୍ତି । ମାମଲାରେ ଉଚ୍ଚଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ, ବୈଷୟିକ ଶିକ୍ଷା, ଆଦିବାସୀ କଲ୍ୟାଣ, ସଂସ୍କୃତି, ପଛୁଆ ବର୍ଗ ବିକାଶ, ସଂଖ୍ୟାଲଘୁ ବିକାଶ ଆଦି ସବୁ ବିଭାଗ ଅଧୀନରେ ଚାଲୁଥିବା ସବୁ ଶିକ୍ଷାନୁଷ୍ଠାନକୁ ଏଥିରେ ପକ୍ଷଭୁକ୍ତ କରାଯାଇଛି ।

Related Posts