ସମବାୟ ବ୍ୟାଙ୍କରେ ନୂଆ ଚାଷୀଙ୍କୁ ଋଣ ଦିଆଯାଉନାହିଁ; କେବଳ ପିସି କାରବାର ଚାଲିଛି: ନରସିଂହ ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଡ ବୟାନ ଦେଇଛନ୍ତି । ତେବେ ରାଜ୍ୟରେ ଚାଷୀ ଫସଲ ବୀମା ଟଙ୍କା , କୃଷି ଋଣ ପାଇବାରୁ ବଞ୍ଚିତ। ଚାଷୀକୁଳ ହତାଶ। ଗତ ଏକ ବର୍ଷ ହେଲା ଚାଷୀ ବୀମା ଟଙ୍କା ପାଇନାହାନ୍ତି। ଗତ ୨୦୨୦-୨୧ ଖରିଫ ଋତୁରେ ଅନେକ ଚାଷୀ ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ବୀମା ଟଙ୍କା ମିଳି ନ ଥିବାରୁ ଚାଷୀ ଋଣ ପରିଶୋଧ କରି ପାରୁ ନାହାନ୍ତି। ଘରୋଇ ବୀମା କଂପାନୀମାନେ ଲାଭ ଖାଉଛନ୍ତି, ଚାଷୀଙ୍କୁ ଶୋଷଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କୁ ଚିଠି ଲେଖନ୍ତୁ।

ଘରୋଇ ବୀମା କମ୍ପାନି ବଦଳରେ ସରକାରୀ ବୀମା କମ୍ପାନି ଜରିଆରେ ଫସଲ ବୀମା କରାଯାଉ। ସମବାୟ ବ୍ୟାଙ୍କରେ ନୂଆ ଚାଷୀଙ୍କୁ ଋଣ ଦିଆଯାଉନାହିଁ। ସେଠାରେ କେବଳ ପିସି କାରବାର ଚାଲିଛି। ନୂଆ ଋଣ ଆଳରେ ପୁରୁଣା ଋଣକୁ ବଢାଯାଇ ଚାଷୀଙ୍କ ଉପରେ ବୋଝ ଲଦାଯାଉଛି। ଏ ଦିଗରେ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ନରସିଂହ। ସେପଟେ ବିଜେପି ବିଧାୟକ ମୁକେଶ ମହଲିଙ୍ଗ କହିଛନ୍ତି, ରାଜ୍ୟକୁ ୧୧ଟି କ୍ଲାଇମେଟିକ ଜଣ ଏବଂ 6ଟି କ୍ଳଷ୍ଟରରେ ବିଭକ୍ତ କରାଯାଇଛି।

ଏହି ଆଧାରରେ ଫସଲ ବୀମା ପାଇଁ ଜିଲ୍ଲାସ୍ତରରେ ଟେଣ୍ଡର କରାଯାଉଛି। କ୍ଲଷ୍ଟର ସଂଖ୍ୟା କାମ ଥିବାରୁ ଘରୋଇ ବୀମା କମ୍ପାନିମାନେ ଏକଚାଟିଆ କାରବାର କରୁଛନ୍ତି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କ୍ଳଷ୍ଟର ବଢ଼େଇବାକୁ ଦାବି କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts