ଶାହାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ରଖିଲେ ଦାବି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ମଙ୍ଗଳବାର ଶାହାଙ୍କୁ ଭେଟିବାର ଗୋଟିଏ ଦିନ ପରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି କ୍ୟାପଟେନ। ଏହି ଅବସରରେ କ୍ୟାପଟେନ୍ ପ୍ରଧାନମନ୍ତ୍ରୀଙ୍କଠାରେ ବିବାଦୀୟ ତିନି ନୂଆ କୃଷକ ଆଇନ ପ୍ରତ୍ୟାହାର କରିବା ଏବଂ କୃଷକମାନଙ୍କୁ ମାଗଣା ଆଇନ ସହାୟତା ବର୍ଗକୁ ଆଣିବା ପାଇଁ ସଂଶୋଧନ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ୟାପଟେନ ଅମରିନ୍ଦର କହିଛନ୍ତି ଯେ ଚାଷୀଙ୍କ ଦ୍ୱାରା ଚାଲିଥିବା ଏହି ଲମ୍ବା ଆନ୍ଦୋଳନ କେବଳ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପଡୁନାହିଁ ବରଂ ସାମାଜିକ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବ ପକାଉଛି। ବିଶେଷ କରି ଯେତେବେଳେ ରାଜନୈତିକ ଦଳ ଏବଂ କୃଷକ ଗୋଷ୍ଠୀ କଡା ଆଭିମୁଖ୍ୟ ଗ୍ରହଣ କରିବେ ସ୍ଥିତି ଆହୁରି ଅସମ୍ଭାଳ ହୋଇଯିବ।

ସୂଚନା ମୁତାବକ କ୍ୟାପଟେନ୍ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦୀର୍ଘ ଦିନ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି କୃଷି ଆଇନ ପ୍ରତ୍ୟାହାର କରିବାକୁ ଅପିଲ୍ କରିଥିଲେ। କ୍ୟାପଟେନ୍ ଶାହଙ୍କୁ କହିଥିଲେ ଯେ, ଆନ୍ଦୋଳନ ଜାରି ରହିଲେ ସାମାଜିକ, ଅର୍ଥନୈତିକ ଏବଂ ସୁରକ୍ଷା ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କାର୍ଯ୍ୟାଳୟ ତରଫରୁ ଜାରି ପ୍ରେସ ବିବୃତି ଅନୁଯାୟୀ, ଅମରିନ୍ଦର ସିଂହ ପଞ୍ଜାବ ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ହମଲାରୁ ସୁରକ୍ଷା ପାଇଁ କେନ୍ଦ୍ର ସଶସ୍ତ୍ର ପୋଲିସ ବଳର ୨୫ କମ୍ପାନୀ ତଥା ସୀମା ସୁରକ୍ଷା ବଳ ପାଇଁ ଡ୍ରୋନ୍ ବିରୋଧୀ ଉପକରଣ ମଧ୍ୟ ଦାବି କରିଛନ୍ତି। ହିନ୍ଦୁ ମନ୍ଦିର, ବିଶିଷ୍ଟ କୃଷକ ନେତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କାର୍ଯ୍ୟାଳୟ, ଆରଏସଏସ- ଓ ଜେପି ନେତାଙ୍କୁ ଟାର୍ଗେଟ କରାଯିବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କହିଛନ୍ତି।

Related Posts