ବଢୁଛି ପଞ୍ଜାବ କଂଗ୍ରେସ ଘମାସାନ୍ : ” ସିଦ୍ଧୁଙ୍କ ସହ କୌଣସି ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇ ନଥିବା କହିଲେ ରାହୁଲ ଗାନ୍ଧୀ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ ରାଜନୀତି ଏବେ ରୋଚକ ମୋଡରେ। ରାଜ୍ୟରେ ଆମ୍ ଆଦମୀ ପାର୍ଟି ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରୁଥିବା ବେଳେ କଂଗ୍ରେସ ଦଳୀୟ କନ୍ଦଳ ସମାଧାନ କରିବାରେ ବ୍ୟସ୍ତ। ଗତକାଲି ଖବର ଆସିଥିଲା ଯେ ମଙ୍ଗଳବାର ଅର୍ଥାତ୍ ଆଜି ପଞ୍ଜାବ କଂଗ୍ରେସର ଅସନ୍ତୁଷ୍ଟ ନେତା ନବଜୋତ୍ ସିଂ ସିଦ୍ଧୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବେ। କିନ୍ତୁ ମିଳିଥିବା ସୂଚନା ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧି ସିଦ୍ଧୁଙ୍କ ସହ ତାଙ୍କର କୌଣସି ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇ ନଥିବା କହିଛନ୍ତି। ସିଦ୍ଧୁ ଆଜି ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟି କ୍ୟାପଟେନଙ୍କ ସହ ତାଙ୍କର ଚାଲିଥିବା ବିବାଦ ସମ୍ପର୍କରେ ଅବଗତ କରାଇ ଥାଆନ୍ତେ। ଉଲ୍ଲେଖନୀୟ କଥା ହେଉଛି ଯେ, ବିଭିନ୍ନ ପ୍ରସଙ୍ଗରେ ସିଏମ ଅମରିନ୍ଦର ସିଂଙ୍କ ସହ ସିଦ୍ଧୁଙ୍କର ଗୁରୁତର ମତଭେଦ ରହିଛି। ଏହି କ୍ରମରେ ସିଦ୍ଧୁ ରାହୁଲଙ୍କୁ ଭେଟି ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ଚାହୁଁଥିଲେ। ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସିଦ୍ଧୁ ବନାମ କ୍ୟାପଟେନ କଂଗ୍ରେସ ପାଇଁ ସଙ୍କଟ ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି । ଏହାର ସମାଧାନ ପାଇଁ କଂଗ୍ରେସ ୩ ଜଣ ବରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରିଥିଲା। ସିଦ୍ଧୁ ଓ ଅମରିନ୍ଦର ପୃଥକ ପୃଥକ ଭାବେ ଏହି କମିଟିକୁ ଭେଟି ନିଜ ନିଜର ପକ୍ଷ ରଖିଥିଲେ। ଏହା ସତ୍ତ୍ୱେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। କୁହାଯାଉଥିଲା ଯେ ଜୁଲାଇ ଦ୍ବିତୀୟ ସପ୍ତାହରେ ହାଇକମାଣ୍ଡ ଏହି ଝଗଡାର ସମାଧାନ କରିକରିବା ପାଇଁ ଡେଡ୍ ଲାଇନ ଦେଇଛନ୍ତି। ଏହା ମଧ୍ୟରେ ସିଦ୍ଧୁଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକାର ନହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Related Posts