
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅବସର ନେବାର ୨୯ ବର୍ଷ ପରେ ମଧ୍ୟ ଜଣେ ସରକାରୀ କର୍ମଚାରୀଙ୍କୁ ପେନସନ୍ ମିଳି ନାହିଁ। ଏହି ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ଏଭଳି ଘଟଣା ପାଇଁ ମାନ୍ୟବର ହାଇକୋର୍ଟ ସରକାରୀ ଉଦାସୀନତାକୁ ଦାୟୀ କରିବା ସହ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ତାଙ୍କ ଘରେ ଯାଇ ତାଙ୍କର ପେନସନ୍ ଏବଂ ଅବସରକାଳୀନ ଦେୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ନାମ କାଶିନାଥ ରଥ ଦୀର୍ଘ ୨୯ ବର୍ଷ ପୂର୍ବେ ସେ ଅବସର ନେଇଥିଲେ। ସୂଚନା ମୁତାବକ ବିଂଝାରପୁରରେ ଭିଏଲଡବ୍ଲୁ ଭାବେ କାର୍ଯ୍ୟ କରୁଥିବା କାଶିନାଥ ରଥ (୮୮) ଚାକିରି ସମ୍ବନ୍ଧୀୟ ବିବାଦକୁ ନେଇ ୧୯୯୨ରେ ଓଡିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ (OAT) କୁ ଯାଇଥିଲେ। ତେବେ ସେହି ସମୟରେ ରାୟ ତଙ୍କ ସପକ୍ଷରେ ଆସିଥିଲା । ୨୦୦୦, ନଭେମ୍ବର ୨୧ର ଟ୍ରିବ୍ୟୁନାଲଙ୍କ ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ଆବେଦନ ୨୦୧୧, ଅଗଷ୍ଟ ୧୬ରେ ଖାରଜ ହୋଇଥିଲା । ଏହି ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ଏସଏଲପିକୁ ସୁପ୍ରିମକୋର୍ଟ ୨୦୧୨, ସେପ୍ଟେମ୍ବର ୧୯ରେ ଖାରଜ କରିଥିଲେ । ଏହାପରେ ମଧ୍ୟ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ମିଳି ନଥିଲା । କାଶିନାଥ ପୁଣି ୨୦୧୫ରେ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ ।

ଟ୍ରିବ୍ୟୁନାଲ ୨୯ ଜାନୁୟାରୀ ୨୦୨୧ ରେ ହାଇକୋର୍ଟକୁ ଏହି ମାମଲା ହସ୍ତାନ୍ତର କରିଥିଲେ । ଏହି ମାମଲା ଗ୍ରହଣ କରିବା ପରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଜଣକିଆ ଖଣ୍ଡପୀଠ ଆଶ୍ଚର୍ଯ୍ୟ ହୋଇ କହିଛନ୍ତି ଯେ ୮୮ ବର୍ଷିୟୀ କାଶିନାଥ ରଥଙ୍କୁ ଅବସର ଦିନରୁ ୨୦୦୦, ନଭେମ୍ବର ୨୧ରେ ଟ୍ରିବ୍ୟୁନାଲର ରାୟ ପ୍ରକାଶ ପର୍ଯ୍ୟନ୍ତ ବକେୟା ଅର୍ଥ ଉପରେ ଆବେଦନକାରୀଙ୍କୁ ୬ ପ୍ରତିଶତ ସୁଧ ଦିଆଯିବ । ଏବଂ ୨୦୧୨, ସେପ୍ଟେମ୍ବର ୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ଅବଧି ପର୍ଯ୍ୟନ୍ତ ପାଇଁ ବକେୟା ପ୍ରାପ୍ୟ ଉପରେ ୮ ପ୍ରତିଶତ ସୁଧ ଦିଆଯିବ ଓ ଏହାପରେ ଆବେଦନକାରୀଙ୍କୁ ବକେୟା ପ୍ରାପ୍ୟ ଉପରେ ୧୦ ପ୍ରତିଶତ ସୁଧ ଦେବାକୁ ହାଇକୋର୍ଟ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାଶିନାଥ ରଥଙ୍କୁ ମିଳିବାକୁ ଥିବା ପ୍ରାପ୍ୟରୁ ୭ ଦିନ ଭିତରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆବେଦନକାରୀ ମୋକଦ୍ଦମା ବାବଦ ଖର୍ଚ୍ଚ ବାବଦରେ ୧୫ ହଜାର ଟଙ୍କା ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି । ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟାରେ ଆବେଦନକାରୀଙ୍କ ଦସ୍ତଖତ ଆବଶ୍ୟକ ପଡିଲେ କର୍ତ୍ତୃପକ୍ଷ ପ୍ରାଧିକୃତ ବ୍ୟକ୍ତିଙ୍କୁ ଆବେଦନକାରୀଙ୍କ ଘରକୁ ପଠାଇବେ । କାଶୀନାଥ ରଥଙ୍କୁ ତାଙ୍କ ଘରେ ଯାଇ ପ୍ରାପ୍ୟ ହସ୍ତାନ୍ତର କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।