ପୁରୀ ଜିଲ୍ଲା ପରିଷଦ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁ ପୂର୍ବର ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଭୁବନେଶ୍ୱରସ୍ଥିତ ଧର୍ମେନ୍ଦ୍ରଙ୍କ ବାସଭବନରୁ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ନିଜ ଫେସବୁକ୍‌ ପେଜ୍‌ରେ କରିଥିବା ଏକ ପୋଷ୍ଟ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ୍‌ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ । ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ । ଜଣେ ପ୍ରତିଷ୍ଠିତ ରାଜନେତା ହୋଇଥିବା ସତ୍ତ୍ୱେ ତାଙ୍କ ପାରିବାରିକ ଜୀବନ ସୁରୁଖୁରୁରେ ଚାଲି ନ ଥିବା ସୂଚନା ମିଳିଛି। ଏପରିକି ଅଧିକାଂଶ ସମୟରେ ନିଶାସକ୍ତରହୁଥିବା ବେଳେ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା କହିଛନ୍ତି ତାଙ୍କ ଶ୍ୱଶୁର । ଗତକାଲି ବିଳମ୍ବିତ ରାତିରେ ଧର୍ମେନ୍ଦ୍ର ଘରକୁ ଫେରିଥିଲେ। ଏହାପରେ ସେ ନିଜ ବାଲକୋନୀରେ ବେକରେ ଗାମୁଛା ଗୁଡ଼ାଇ ହୋଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଖବର ପ୍ରଚାରିତ ହୋଇଛି। ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ ପରିସ୍ଥିତିରେ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ, ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ମାତ୍ର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ନିଜ ଫେସବୁକ୍ ପେଜ୍‌ରେ କରିଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଯେଉଁଥିରେ ସେ ଲେଖିଛନ୍ତି-ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ । ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସଂପର୍କ ରହିଛି, ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ବଡ଼ ସସ୍‌ପେନ୍ସ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ପାରିବାରିକ ଜୀବନରେ ସବୁବେଳେ କଳହ ସୃଷ୍ଟି ହେଉଥିବାରୁ ଧର୍ମେନ୍ଦ୍ର ପୂର୍ବରୁ ଥରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ଧର୍ମେନ୍ଦ୍ର ନିମାପଡ଼ା ଅଞ୍ଚଳରେ ଜଣେ ଜଣାଶୁଣା ନେତା ଥିଲେ। ସେ ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ଗତ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ସେ ବିଜେଡି ଟିକେଟରେ ନିମାପଡ଼ା ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।

Related Posts