ସାବାସ୍ ଶିକ୍ଷୟିତ୍ରୀ

(ସତ୍ୟପାଠ ବ୍ୟୁରୋ) ସରକାରୀ ସ୍କୁଲ ଏବଂ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । କେତେବେଳେ ଶିକ୍ଷାଦାନକୁ ନେଇ ତ କେଉଁଠି ବ୍ୟବସ୍ଥାରେ ଥିବା ତୃଟିକୁ ନେଇ । କେଉଁଠି ପାଠପଢ଼ା ଛାଡ଼ି ଶିକ୍ଷୟିତ୍ରି ଟିକ୍‌ଟକ୍‌ କଲେଣି ତ ଆଉ କେଉଁଠି ପିଲାକୁ ସ୍କୁଲ କାମରେ ଲଗାଇ ଶିକ୍ଷକ ଆରାମ କରୁଥିବା ଖବର ଚର୍ଚ୍ଚାକୁ ଆସିଥାଏ । କିନ୍ତୁ ଏବେ ଜଣେ ଏଭଳି ଶିକ୍ଷୟିତ୍ରୀଙ୍କ କଥା ଚର୍ଚ୍ଚାକୁ ଆସିଛି ଯାହା ଆପଣଙ୍କୁ ପ୍ରେରିତ କରିବ ।  ଶିକ୍ଷାଦାନ ପ୍ରତି ତାଙ୍କର ଥିବା ସମର୍ପିତ ଭାବ ଯୋଗୁଁ ନିଜ ଇଚ୍ଛା ବିରୋଧରେ ବାହା ହୋଇଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ଶଶୂଘରୁ ଉଦ୍ଧାର କରି ପ୍ରଶଂସାର ପାତ୍ର ହୋଇଛନ୍ତି ଶିକ୍ଷୟିତ୍ରୀ ସୁନୀତା ନାୟକ ।

ପୁରୀ ଜିଲ୍ଲା ପିପିଲି ବ୍ଲକରେ ଥିବା ଏକ ସ୍କୁଲର ଜଣେ ଛାତ୍ରୀ ଗତ 2 ମାସ ଧରି ସ୍କୁଲରେ ଅନୁପସ୍ଥିତ ରହୁଥିଲେ । ଉକ୍ତ ଛାତ୍ରୀ ଭଲ ପଢ଼ୁଥିବାରୁ ଶିକ୍ଷୟିତ୍ରୀ ସୁନୀତା ନାୟକ ଚିନ୍ତାରେ ପଡ଼ିବା ସହ ପ୍ରଥମେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ । ଏହା ପରେ ଛାତ୍ରୀଙ୍କୁ ଖୋଜିବାକୁ ସ୍କୁଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସୁନୀତା ନିଜ ଉଦ୍ୟମରେ ଛାତ୍ରୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଛାତ୍ରୀଙ୍କ ଘର ଗଞ୍ଜାମରେ ହୋଇଥିଲେ ବି ସେ ପିପିଲିରେ ଏକ ଭଡ଼ା ଘରେ ରହି ପାଠ ପଢ଼ୁଥିଲେ । ଛାତ୍ରୀଙ୍କୁ ଖୋଜିବାକୁ ଶିକ୍ଷୟିତ୍ରୀ ତାଙ୍କ ଭଡ଼ା ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ସେମାନେ ଘର ଛାଡ଼ି ଦେଇଛନ୍ତି । ଏହାର କିଛି ଦିନ ପରେ ହଠାତ ଦିନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରୀଙ୍କ ବାପା ଦେଖା ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କିନ୍ତୁ ଛାତ୍ରୀଙ୍କ ବାପା ସତ କଥା କହିନଥିଲେ । ଏହି କଥା ସୁନୀତା ଦିଦିଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଜଣାଇବା ପରେ ଛାତ୍ରୀଙ୍କ ବାପା କାମ କରୁଥିବା ଇଟାଭାଟିରେ ପହଞ୍ଚିଥିଲେ ସୁନୀତି ।  ସେଠାରେ ଛାତ୍ରୀଙ୍କ ବାପାଙ୍କ ଦୀର୍ଘ ସମୟ ଆଲୋଚନା କରିବା ପରେ ଜଣାପଡ଼ିଥିଲା ଯେ, ଛାତ୍ରୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ବାହା କରିଦିଆଯାଇଛି । ଏହା ପରେ ଶିକ୍ଷୟିତ୍ରୀ ସୁନୀତା ସଙ୍ଗେ ସଙ୍ଗେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଟ୍ବିଟ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଜିଲ୍ଲାପାଳ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହ ନେଇ ଛାତ୍ରୀଙ୍କୁ ତାଙ୍କ ଶାଶୂଘରୁ ଉଦ୍ଧାର କରିଥିଲେ । ଏବେ ପୁଣି ଥରେ ପାଠ ପଢ଼ିବାକୁ ଛାତ୍ରୀ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ଏହି ଭଳି ରାଜ୍ୟରେ ସ୍କୁଲରୁ ଛାତ୍ରଛାତ୍ରୀ ବିନା କାରଣରେ ଅନୁପସ୍ଥିତ ରହୁଥିଲେ ବି ସେମାନଙ୍କୁ ଠାବ କରାଯାଉ ନାହିଁ କି ଅନୁପସ୍ଥିତ ରହିବାର କାରଣ ବି ଖୋଜା ଯାଉନି ।  ଶିକ୍ଷୟିତ୍ରୀ ସୁନୀତାଙ୍କ ଏଭଳି ଉଦ୍ୟମ ଏବେ ଅନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ପାଇଁ ପ୍ରେରଣା ବୋଲି କୁହାଯାଉଛି ।

Related Posts