(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଲୋକ ଗହଳିରେ ବନ୍ଧୁଙ୍କୁ ଚିହ୍ନାଇଲା ପଗଡ଼ି । ପଗଡ଼ିର ପକଡ଼ ଏତେ ଜୋର୍ ଥିଲା ଯେ 13 ବର୍ଷ ପରେ ବି ଲୋକଙ୍କ ଗହଳି ଭିତରୁ ବନ୍ଧୁତ୍ବର ସେହି ଛାପକୁ ପରିଚିତ କରାଇଥିଲା । ଆଜି ବନ୍ଧୁତ୍ବର ପଗଡ଼ିକୁ ନେଇ ଚର୍ଚ୍ଚା ଏଇଥିପାଇଁ କାରଣ ଏହି ପଗଡ଼ି ସହ ଯୋଡ଼ି ହୋଇ ରହିଛି ରାଷ୍ଟ୍ରପତିଙ୍କ ବନ୍ଧୁତା ।
ପଗଡ଼ି ସହ ବନ୍ଧୁତ୍ବର ସମ୍ପର୍କ କ’ଣ ?
କିଏ ସେହି ପଗଡ଼ି ମ୍ୟାନ ?
ବନ୍ଧୁ ଅପେକ୍ଷା ପଗଡ଼ିକୁ କାହିଁକି ମନେ ରଖିଛନ୍ତି ରାଷ୍ଟ୍ରପତି ?
କିଏ ସେହି ବ୍ୟକ୍ତି ଯାହାଙ୍କ ପଗଡ଼ିକୁ ନେଇ ଏବେ ଚର୍ଚ୍ଚା ?
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହକୁ ଅତିଥି ଭାବେ ଆସି ନିଜର ପୁରୁଣା ବନ୍ଧୁଙ୍କୁ ଭେଟି ବେସ୍ ଖୁସି ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଅଚାନକ ନିଜ ପୁରୁଣା ବନ୍ଧୁ ବୀରଭଦ୍ର ସିଂଙ୍କୁ ଦେଖି ଏତେ ଖୁସି ହୋଇଥିଲେ ଯେ ମଞ୍ଚ ଉପରୁ ହିଁ ତାଙ୍କୁ ଭେଟିବାକୁ ଡାକିଥିଲେ ।
ଉତ୍କଳ ବିଶ୍ବବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତିର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ଉଦବୋଧନ ଦେବା ସମୟରେ ରାଷ୍ଟ୍ରପତିଙ୍କ ନଜର ପଡ଼ିଥିଲା ମଞ୍ଚ ତଳେ ବସିଥିବା ଅତିଥିମାନଙ୍କ ଉପରେ । ଅତିଥିଙ୍କ ଭିଡ଼ ଭିଡ଼ ଭିତରୁ ପଗଡ଼ି ପାଖରେ ଯାଇ ଅଟକି ଯାଇଥିଲା ରାଷ୍ଟ୍ରପତିଙ୍କ ନଜର । ପଗଡ଼ି ଦେଖି ନିଜର ପୁରୁଣା ବନ୍ଧୁ ବୀରଭଦ୍ରଙ୍କୁ ଚିହ୍ନି ଯାଇଥିଲେ ରାଷ୍ଟ୍ରପତି କୋବିନ୍ଦ । ଜାତୀୟ ସଙ୍ଗୀତ ସହ କାର୍ଯ୍ୟକ୍ରମ ଶେଷ ହେବା ପରେ ବୀରଭଦ୍ରଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ ରାଷ୍ଟ୍ରପତି । ମଞ୍ଚ ଉପରେ ଥାଇ ନିଜର ବନ୍ଧୁକୁ ଡାକିବାକୁ ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଥିଲେ । ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରୁ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂହଙ୍କୁ ରାଷ୍ଟ୍ରପତି ଭେଟିବାକୁ ଚାହୁଁଥିବା ଆନାଉନ୍ସ କରିଥିଲେ । ତାପରେ ମଞ୍ଚ ପଛପାଖରେ ହୋଇଥିବା ସ୍ବତନ୍ତ୍ର କୋଠରୀରେ ବୀରଭଦ୍ର ସଂହଙ୍କୁ ଭେଟିଥିଲେ ରାଷ୍ଟ୍ରପତି ।
ଆପଣ ଦିଲ୍ଲୀ ଆସୁ ନାହାଁନ୍ତି କି ?, ରାଷ୍ଟ୍ରପତି ଭବନ କଥା କେବେ ମନେ ପଡ଼େ ନାହିଁ ? ରାଷ୍ଟ୍ରପତିଙ୍କ ଏଭଳି ପ୍ରଶ୍ନରେ ବନ୍ଧୁ ବୀରଭଦ୍ରଙ୍କର ଉତ୍ତର ଥିଲା ଦିଲ୍ଲୀରେ କିଛି କାମ ପଡ଼ିନାହିଁ, ବିନା କାରଣରେ ଯିବାକୁ ଇଚ୍ଛା ହୁଏନି। କିନ୍ତୁ ଏଥର ଯିବି ବୋଲି ଭାବିଥିଲି କାରଣ ଏଥର କିଛି କାରଣ ଥିଲା ଦିଲ୍ଲୀ ଯିବାକୁ ।
ସୂଚନା ଅନୁସାରେ ୨୦୦୧ ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଉଭୟ ବୀରଭଦ୍ର ସିଂହ ଏବଂ ରାମନାଥ କୋବିନ୍ଦ ସାଂସଦ ଥିଲେ । ଉଭୟ ଆଦିବାସୀ ଲୋକଙ୍କ ହକ୍ ପାଇଁ କାମ କରୁଥିବା ବେଳେ ଦୁହିଁଙ୍କ ଭିତରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା । ପାଞ୍ଚ ବର୍ଷର ସେହି ସମ୍ପର୍କ ଏତେ ନିବିଡ଼ ଥିଲା ଯେ ମୋତେ ଦେଖି ଖୁସିରେ ବିଭୋର ହୋଇଯାଇଥିଲେ । କେମିତି ଅଛି ବୋଲି ମୋତେ ପଚାରିଲେ ସେ । ମୋ’ ପଗଡ଼ି ଦେଖି ମୋତେ ଚିହ୍ନିଗଲେ ବୋଲି ଜଣେଇଲେ ସେ,” ଖୁସିରେ ଗଦଗଦ ହୋଇ କହିଛନ୍ତି ବୀରଭଦ୍ର । ଏହା ପରେ ରାଷ୍ଟ୍ରପତି ନିଜ ଫଟୋଗ୍ରାଫରକୁ ବୀରଭଦ୍ର ସିଂହଙ୍କ ସହ ଏକ ଫଟୋ ମଧ୍ୟ ଉଠାଇବାକୁ କହିଥିଲେ । ଅନେକ ଦିନ ପରେ ନିଜ ପୁରୁଣା ବନ୍ଧୁଙ୍କୁ ଦେଖି ବୀରଭଦ୍ର ସିଂହ ମଧ୍ୟ ବେଶ୍ ଖୁସି ହୋଇଥିଲେ ।
ମୟୁରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ବୀରଭଦ୍ର 1965 ମସିହାରେ ବାରିପଦା କଲେଜରୁ ଗ୍ରାଜୁଏସନ ସାରିବା ପରେ ୧୯୬୫-୬୭ ଯାଏ ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ।